ରାସ୍ତାଘାଟରେ ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ବିକ୍ରି କରୁଥିବା ଦୋକାନୀଙ୍କ ଉପରେ ସରକାର ନେବେ କଠୋର କାର୍ଯ୍ୟାନୁଷ୍ଠାନ ।ପେଟ୍ରୋଲ ପମ୍ପ ମାଲିକ ସଂଘ ସହ ବୈଠକ ପରେ ଯୋଗାଣ ମନ୍ତ୍ରୀ ଦେଲେ ବଡ଼ ସୂଚନା । ଖୁଚୁରା ଭାବେ ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ବିକିଲେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ ।
କାଚ ଓ ଟିଣ ବୋତଲରେ ପେଟ୍ରୋଲ ବିକ୍ରି ପାଇଁ ଅନୁମତି। କାଲିଠାରୁ ବିଭିନ୍ନ ପେଟ୍ରୋଲ ପମ୍ପରେ ଯାଞ୍ଚ ହେବ ବୋଲି କହିଛନ୍ତି କୃଷ୍ଣଚନ୍ଦ୍ର ପାତ୍ର। ଖୋଲା ପାତ୍ରରେ ପେଟ୍ରୋଲ ଦେବା ଯୋଗୁଁ ଅଗ୍ନିକାଣ୍ଡ ଓ ଅନ୍ୟାନ୍ୟ ଅଘଟଣ ଘଟୁଥିବା କାରଣରୁ ଏହି ପଦକ୍ଷେପ ନିଆଯାଇଛି।ଆଗାମୀ ଦିନରେ ସରକାର ଏ ନେଇ ଆଣିବେ ଗାଇଡ୍ ଲାଇନ୍ ।ସୂଚନାଯୋଗ୍ୟ, ଗତ ୧୨ ତାରିଖରେ ବାଲେଶ୍ଵର ଫକୀର ମୋହନ କଲେଜ ଛାତ୍ରୀ ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମାହୁତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ଵର ଏମ୍ସରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହାକୁ ନେଇ ସାରା ରାଜ୍ୟରେ ଚହଳ ପଡିଥିଲା। ରାଜନୀତି ଚରମରେ ପହଞ୍ଚିଥିଲା। କିଏ ପେଟ୍ରୋଲ ନେଇ ପୀଡ଼ିତାଙ୍କୁ ଦେଲା। ପେଟ୍ରୋଲ ପମ୍ପରୁ କିଏ ଖୋଲାରେ ପେଟ୍ରୋଲ ଦେଲା ତାକୁ ନେଇ ଅନେକ ପ୍ରଶ୍ନ ଲାଗି ରହିଛି। ସ୍ଥିତିକୁ ଦେଖି ଏବେ ରାଜ୍ୟ ସରକାରଙ୍କ ସହ ପେଟ୍ରୋଲ ପମ୍ପ ସଂଘ ଉପରୋକ୍ତ ନିଷ୍ପତ୍ତି ନେଇଛନ୍ତି।
