ଦୁର୍ଘଟଣାରେ ଆହତଙ୍କୁ ହସ୍ପିଟାଲ ନେବାରେ ସହଯୋଗ କରୁଥିବା ‘ରାହତବୀର’ ଙ୍କ ସହାୟତା ରାଶି ବୃଦ୍ଧି । ରାଜ୍ୟ ସରକାର ସେମାନଙ୍କ ସହାୟତା ରାଶି ୫ ହଜାରରୁ ୨୫ ହଜାର ଟଙ୍କା କରିଛନ୍ତି । ରାହତବୀରଙ୍କୁ ଯଥାଶୀଘ୍ର ସହୟତା ରାଶି ପ୍ରଦାନ ଲାଗି ପ୍ରତି ଜିଲ୍ଲାରେ ‘ପ୍ରତିକାର ଅଧିକାରୀ’ ନିଯୁକ୍ତ ହେବେ । ଜିଲ୍ଲାସ୍ତରରେ ଜିଲ୍ଲାପାଳ ଏହି ଅଫିସରଙ୍କୁ ନିଯୁକ୍ତ କରିବେ ।ପିଏମ୍-ରାହତ ଯୋଜନାରେ ଏହି ଅର୍ଥରାଶି ମିଳିବ ।। ଏନେଇ କେନ୍ଦ୍ର ସରକାରଙ୍କ ସହିତ ସ୍ୱାସ୍ଥ୍ୟ ବିଭାଗ ମଧ୍ୟରେ ଭିସିରେ କରାଯାଇଥିବା ବୈଠକରେ ନିଷ୍ପତ୍ତି ହୋଇଛି । ଏହି ବୈଠକରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ରାଜ୍ୟରେ ୨୦୨୫ ମସିହାରେ ୧୨ ହଜାର ୫୦୦ ବଡ଼ ଧରଣର ଦୁର୍ଘଟଣା ଘଟିଥିଲା । ସେଥିରେ ୬ହଜାର ୩୦୦ ଜଣଙ୍କ ଜୀବନ ଯାଇଥିଲା । ‘ରାହତବୀର’ ଙ୍କ ସହାୟତା ରାଶି ବଢ଼ିବା ଫଳରେ ଦୁର୍ଘଟଣାରେ ଆହତଙ୍କ ସହାୟତା ସଂଖ୍ୟା ବଢ଼ିବ । ଆହତଙ୍କୁ ତୁରନ୍ତ ହସ୍ପିଟାଲ ପଞ୍ଚାଇବା କ୍ଷେତ୍ରରେ ତ୍ୱରିତ ପଦକ୍ଷେପ ନିଆଯାଇପାରିବ । ୨୦୨୬ରେ ମୃତ୍ୟୁ ସଂଖ୍ୟା କମିବା ନେଇ ଆଶା କରାଯାଇଛି । ଅନ୍ୟପଟରେ ରାଜ୍ୟରେ ଦୁର୍ଘଟଣାଗସ୍ତ ଆହତଙ୍କୁ ୪୮ ଘଣ୍ଟା ନୁହେଁ ୭ ଦିନ ପାଇଁ ମାଗଣା ଚିକିତ୍ସା ମିଳିବ । ‘ପ୍ରଧାନମନ୍ତ୍ରୀ ରାହତ ଯୋଜନା’ ରେ ଦେଢ଼ ଲକ୍ଷ ପର୍ଯ୍ୟନ୍ତ ମାଗଣା ସେବା ମଳିବ । ଆହତଙ୍କୁ ଗୋଲ୍ଡେନ୍ ଆୱାର ଭିତରେ ଚିକିତ୍ସା ମିଳିବା ପାଇଁ ଅଧିକରୁ ଅଧିକ ରାହାତବୀର ସାମିଲ ହେବା ପାଇଁ ଗୁରୁତ୍ୱ ଦିଆଯାଇଛି ।
