ତା ୨୮/୦୮ ଗତକାଲି ରାୟଗଡା ସହରରେ ଘଟିଥିବା ବିଭତ୍ସ ହତ୍ଯାକାଣ୍ଡ କୁ ନେଇ ସହରରେ ଅଶାନ୍ତକର ପରିବେଶ ସୃଷ୍ଟି ହେବା ସହ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି । ମୃତକଙ୍କ ପରିବାର କୁ ନ୍ଯାୟ ଦାବିରେ ଆଜି ଶତାଧିକ ଲୋକ ରାୟଗଡା ଟାଉନ୍ ଥାନା ଘୋରାଉ କରିଛନ୍ତି। ରାସ୍ତା ଅବରୋଧ ହେବା ଫଳରେ ରାୟଗଡା ସହରରୁ ଆନ୍ଧ୍ରପ୍ରଦେଶ ଅଭିମୁଖେ ଯାନବାହନ ଚଳାଚଳ ଏକ ପ୍ରକାର ଠପ୍ ହୋଇଯାଇଛି। ରାସ୍ତା ର ଉଭୟ ପାର୍ଶ୍ବରେ ବହୁ ସଂଖ୍ୟାରେ ଗାଡି ଠିଆ ହୋଇ ରହିଛି। ଗତକାଲି ଅପରାହ୍ନରେ ସହରର ଅଗ୍ନୀଶମ ବିଭାଗ ପଛପଟ ପଡିଆରେ ଖେଳୁଥିବା ବେଳେ ହରିଜନ ବସ୍ତିର ୨୬ ବର୍ଷୀୟ ଯୁବକ ରୋହିତ ଥାପ୍ପା କୁ ପୂର୍ବ ଶତ୍ରୃତାକୁ କେନ୍ଦ୍ରକରି ସଂଘବଦ୍ଧ ଭାବେ ହତ୍ଯା କରାଯାଇଥିଲା। ଏନେଇ ରାୟଗଡା ଟାଉନ୍ ଥାନାରେ ପରିବାର ପକ୍ଷରୁ ଏତଲା ଦେବା ପରେ ପୁଲିସ ୬ ଜଣକୁ ଅଟକ ରଖି ପଚରାଉଚରା କରୁଛି। ହେଲେ ଏପର୍ଯ୍ଯନ୍ତ ମୁଖ୍ଯ ହତ୍ଯାକାରୀ ଧରା ପଡିନଥିବା ବେଳେ ହତ୍ଯାକାରୀ କୁ ଧରିବା ପାଇଁ ପରିବାର ଲୋକେ ଅଡି ବସିଛନ୍ତି। ଅନ୍ଯପଟେ ହତ୍ଯାକାଣ୍ଡ ର ୧୭ ଘଣ୍ଟା ବିତି ଯାଇଥିଲେ ସୁଦ୍ଧା ଶବ ବ୍ଯବଛେଦ ହୋଇପାରିନି । ଅଭିଯୁକ୍ତ ମାନଙ୍କୁ ନଧରିବା ପର୍ଯ୍ଯନ୍ତ ଶବ ବ୍ଯବଛେଦ କରିବାକୁ ଦିଆଯିବ ନାହିଁ ବୋଲି ମୃତକଙ୍କ ମା ଜୟା ଥାପ୍ପା କହିଛନ୍ତି। ଅନ୍ଯପଟେ ହତ୍ଯାକାରୀ ଙ୍କୁ ଖୁବଶୀଘ୍ର ଧରାଯିବ ବୋଲି ରାୟଗଡା ଏସଡିପିଓ ଗୌରହରୀ ସାହୁ ସୂଚନା ଦେଇଛନ୍ତି।
