ରାୟଗଡା ଜିଲ୍ଲାପାଳ ପାରୁଲ ପଟୱରୀ ଓ ପୂର୍ବତନ ମଙ୍ଗଳ ଅଧିକାରୀ ଅସୀମା ରାଓଙ୍କ ମଧ୍ଯରେ ଲାଗି ରହିଥିବା ବିବାଦ ଏବେ ଦାଣ୍ଡରେ ପଡି ହାଟରେ ଗଡୁଛି। ଜିଲ୍ଲାପାଳ ପଟୱରୀ ଅସୀମାଙ୍କୁ ମାନସିକ ନିର୍ଯାତନା ଦେବା ସହ ବାରମ୍ବାର ଏକ ବିବାଦୀୟ ଫାଇଲରେ ଦସ୍ତଖତ କରିବା ପାଇଁ ଚାପ ପ୍ରୟୋଗ କରୁଥିଲେ। ବିଦ୍ୟାଳୟର ଅନ୍ତେବାସୀଙ୍କ ପାଇଁ ଉଦିଷ୍ଟ ବିଭିନ୍ନ ସାମଗ୍ରୀ କିଣା ପାଇଁ ସରକାରୀ ଦର ଠାରୁ ଦୁଇ ଗୁଣା ଅଧିକରେ ଏକ ଫାଇଲ୍ ପ୍ରସ୍ତୁତ କରାଯାଇଥିଲା। ଏଥିରେ ସେ ସହମତି ନଦେବାରୁ ତାଙ୍କୁ ଜିଲ୍ଲା ମଙ୍ଗଳ ଅଧିକାରୀ ପଦବୀରୁ ଜିଲ୍ଲାପାଳ ଅନ୍ତର ବା ରିଲିଫ କରିଥିଲେ। ତେବେ ଏହି ଘଟଣାକୁ ନେଇ ଗତକାଲି ଅସୀମା ମୁଖ୍ଯମନ୍ତ୍ରୀ, ବିଭାଗୀୟ ମନ୍ତ୍ରୀ ଓ ସଚିବ ଙ୍କୁ ଲିଖିତ ଅଭିଯୋଗ ଦେବା ସହ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ। ଏପରିକି ଅସୀମା ଆତ୍ମହତ୍ୟା କରିବାକୁ ମଧ୍ଯ ଉଦ୍ୟମ କରିଥିଲେ ବୋଲି ଗଣମାଧ୍ୟମ ଆଗରେ କହିଥିଲେ। ତେବେ ଏହି ବିଵାଦକୁ ନେଈ ଆଜି ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଛି। ପୂର୍ବରୁ ଜଣେ ସମାଜ ମଙ୍ଗଳ ଅଧିକାରୀ ଜିଲ୍ଲାପାଳଙ୍କ ଚାପରେ ଆତ୍ମହତ୍ୟା କରିଥିବା ବେଳେ, ଏହାର ପୁନରାବୃତ୍ତି ନହେଉ ବୋଲି ସାମ୍ବାଦିକ ସମ୍ମିଳନୀରେ ବିଧାୟକ ଆପଲ୍ଲା ସ୍ବାମୀ କାଡ୍ରାକା କହିଛନ୍ତି। ରାଜ୍ଯରେ ଥିବା ଡବଲ ଇଂଜିନ୍ ସରକାର ଏହି ବିବାଦର ତୁରନ୍ତ ସମାଧାନ କରି ଆଦିବାସୀ ଅଧୂଷିତ ରାୟଗଡା ଜିଲ୍ଲାର ଗରୀବ ଆଦିବାସୀ ଛାତ୍ରଛାତ୍ରୀଙ୍କ ଶିକ୍ଷାର ବିକାଶ ଦିଗରେ ଧ୍ଯାନ ଦିଅନ୍ତୁ ବୋଲି ବିଧାୟକ କାଡ୍ରାକା କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ଯ ମାନଙ୍କ ମଧ୍ଯରେ ବିଷମକଟକ ବିଧାୟକ ନୀଳମାଧବ ହିକକା,ଜିଲ୍ଲା କଂଗ୍ରେସ ସଭାପତି ଶଙ୍କର ଜିଲାକାରା ଓ ବରିଷ୍ଠ କଂଗ୍ରେସ ନେତା ଶଙ୍କର୍ଷଣ ମଙ୍ଗରାଜ ପ୍ରମୁଖ ଉପସ୍ଥିତ ଥିଲେ।
![](https://odishadarpan.in/wp-content/uploads/2025/02/20250201_220240.jpg)