ରିଲ୍ସ ନିଶା ବଢ଼ାଉଛି ଘରୋଇ ହିଂସା- ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

ରିଲ୍ସ ନିଶା ବଢ଼ାଉଛି ଘରୋଇ ହିଂସା । ଘରୋଇ ହିଂସାରୁ ମହିଳା ମାନଙ୍କୁ ସୁରକ୍ଷା ଅଧିନିୟମ – ୨୦୨୫ ଏବଂ ଯୌତୁକ ନିଷେଧ ଅଧିନିୟମ – ୧୯୬୧ ବିଷୟରେ ରାଜ୍ୟ ସ୍ତରୀୟ ପ୍ରଶିକ୍ଷଣ ଶିବିରରେ ଏହା ଉପରେ ଗୁରୁତ୍ବ ଦେବା ନେଇ କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ପୂଜା ସମୟରେ ଉପବାସରେ ରହିବା ଭଳି ରିଲ୍ସ, ସୋସିଆଲ ମିଡିଆ ଓ ମୋବାଇଲଠାରୁ କିଛି ସମୟ ମହିଳା ବିରତି ନିଅନ୍ତୁ ବୋଲି ପ୍ରଭାତୀ ପରିଡ଼ା କହିଛନ୍ତି ।

ଆଜି ଲୋକସେବା ଭବନ କନଭେନସନ ହଲରେ ଯୌତୁକ ଏବଂ ଘରୋଇ ହିଂସାରୁ ମହିଳାଙ୍କୁ ସୁରକ୍ଷା ଦେବା ନେଇ କର୍ମଶାଳା ଆୟୋଜିତ ହୋଇଥିଲା । ଭଦ୍ରକରୁ ଆସିଥିବା ମହିଳା ସମାଜସେବୀ ସୋଫିଆ ସେଖ୍ କହିଥିଲେ, ଆଜିକାଲି ରିଲ୍ସ, ସୋସିଆଲ ମିଡିଆ ଏବଂ ମୋବାଇଲର ଅଧିକ ବ୍ୟବହାର ଯୋଗୁଁ ଘରୋଇ ହିଂସା ବଢୁଛି । ତେଣୁ ଏହା ଉପରେ ଦୃଷ୍ଟି ଦିଆଯିବା ଦରକାର । ଯାହାକୁ ନେଇ ମୋବାଇଲ ଓ ସୋସିଆଲ ମିଡିଆ ଅଧିକ ବ୍ୟବହାର ଠାରୁ ଦୂରେଇ ରହିବା ପାଇଁ ଅପିଲ୍ କରିଥିଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।ଉପ ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ମହିଳାଙ୍କ ସୁରକ୍ଷା ପାଇଁ ଥିବା ଆଇନର ଦୁରୁପୋଯୋଗ ଅକ୍ଷମଣୀୟ । ଅତ୍ୟାଚାର ପାଇଁ ସଚେତନତା ଯେତିକି ଜରୁରୀ ତାର ଦୁରୁପୋଯୋଗକୁ ଜଗିବା ତାଠାରୁ ଅଧିକ ଜରୁରୀ । ବର୍ତ୍ତମାନ ସମୟରେ ଇଭ୍‌ଟିଜିଂ ମଧ୍ୟ ସ୍କୁଲ ଡ୍ରପ୍ ଆଉଟ୍ ପାଇଁ ଦାୟୀ ହେଉଛି । ତେଣୁ ସେହିଭଳି ଟ୍ରମାରେ ଆଘାତ ପାଇଥିବା ଝିଅ ମାନଙ୍କ ସହ ଛିଡା ହେବା ଦରକାର । ଝିଅ ନିଜେ ରୋଜଗାର କରୁଥିଲେ ବି ନିଜ ପଇସା ଖର୍ଚ୍ଚ କରିବାର ପାଇଁ ସେମାନଙ୍କୁ ଅଧିକାର ମିଳୁନି । ଝିଅ ମାନଙ୍କୁ ନିଜ ପରିବାର ସଦସ୍ୟ ଏବଂ ଆତ୍ମୀୟ ସ୍ୱଜନ ହିଁ ସବୁଠୁ ଅଧିକ ଅତ୍ୟାଚାର କରନ୍ତି । ନିଜ ଘର ଭିତରେ ହିଁ ଭୁଲ ହୋଇଯାଏ । ତେଣୁ ମହିଳାଙ୍କ ଉପରେ ଅତ୍ୟାଚାର ବନ୍ଦ କରିବା ଦିଗରେ ଅଧିକ ସଚେତନତା ଜରୁରୀ ବୋଲି ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି

ଅଧିକ ପଢନ୍ତୁ