ରୁଷିଆରୁ ତେଲ କିଣିପାରିବ ଭାରତ, ଆମେରିକା ଦେଲା ୩୦ ଦିନର ଅନୁମତି

ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଥମିବାର ନାଁ ନେଉନି । ଇସ୍ରାଏଲ ଏବଂ ଆମେରିକା ମିଳିତ ଭାବେ ଇରାନ ଉପରେ ଆକ୍ରମଣ କରୁଛନ୍ତି । ଇରାନ ମଧ୍ୟ କଡା ଜବାବ ଦେଉଛି । ତେବେ ଯୁଦ୍ଧର ପ୍ରଭାବ ବୈଶ୍ୱିକ ଅର୍ଥନୀତି ଉପରେ ପଡିଛି । ଏହା ଭିତରେ ଭାରତକୁ ରୁଷିଆରୁ ତେଲ କିଣିବା ପାଇଁ ଆମେରିକାର ଅନୁମତି । ତେବେ କେବଳ ୩୦ ଦିନର ଅସ୍ଥାୟୀ ଅନୁମତି ମିଳିଛି । ଆମେରିକାର ଅର୍ଥମନ୍ତ୍ରୀ ସ୍କଟ୍ ବେସେଣ୍ଟ ଏକ ଟ୍ୱିଟ୍ କରି କହିଛନ୍ତି, ବିଶ୍ୱ ବଜାରରେ ତେଲର ଯୋଗାଣ ସ୍ୱାଭାବିକ ରଖିବାକୁ ଆମେରିକାର ଟ୍ରେଜେରୀ ବିଭାଗ ଭାରତୀୟ ତେଲ କମ୍ପାନୀଗୁଡ଼ିକୁ ରୁଷିଆରୁ ତେଲ କିଣିବା ପାଇଁ ୩୦ ଦିନର ଏକ ଅସ୍ଥାୟୀ ଅନୁମତି ପ୍ରଦାନ କରୁଛି । ଏହ ସହ କହିଛନ୍ତି ଆମେରିକାର ଏକ ଗୁରୁତ୍ୱପୂର୍ଣ୍ଣ ସହଯୋଗୀ ଭାରତ। ଆମେ ଆଶା କରୁଛୁ ଯେ ଭାରତ ଆଗାମୀ ଦିନରେ ଆମେରିକାରୁ ଅଧିକ ତେଲ କିଣିବ।ରିପୋର୍ଟ ଅନୁସାରେ, ଯୁଦ୍ଧ ଆରମ୍ଭ ହେଲା ପରେ ଭାରତର ଗଚ୍ଛିତ ତୈଳକୁ ନେଇ ଆଶା ଏବଂ ଆଶଙ୍କା ଦେଖାଦେଇଥିଲା । ଦେଶରେ ମାତ୍ର ୫୬ ଦିନର ଅଶୋଧିତ ଏବଂ ଶୁଦ୍ଧ ତୈଳ ଥିବା ନେଇ ଜଣା ପଡିଥିଲା । ଯାହା ପରେ ଚିନ୍ତା ବଢିଥିଲା । ଯୁଦ୍ଧ ପାଇଁ ପେଟ୍ରୋଲ-ଡିଜେଲ ଆମାଦାନୀ ପ୍ରଭାବିତ ହୋଇଥିଲା । ଏବେ ଭାରତ ଋଷଠୁ ୩୦ ଦିନ ଯାଏଁ ତୈଳ ଆମଦାନୀ କରିପାରିବ । ଫଳରେ ସମୁଦ୍ରରେ ଅଟକିଥିବା ଅନେକ ଋଷ ତୈଳ ଜାହାଜଙ୍କୁ ଆଶ୍ୱସ୍ତି ମିଳିବ | ସୂଚନାଯୋଗ୍ୟ, ଋଷ-ୟୁକ୍ରେନ ଯୁଦ୍ଧ ଆରମ୍ଭ ହେଲା ପରେ ବିଭିନ୍ନ ଦେଶକୁ ଋଷଠୁ ତେଲ ନ କିଣିବାକୁ କହିଥିଲା । ଏହାସହ କଟକଣା ମଧ୍ୟ ଲଗାଇଥିଲା । କିନ୍ତୁ ଭାରତ ଋଷଠୁ ତୈଳ କିଣିବା ଜାରି ରଖିଥିଲା । ତେଲ କାହାଠୁ କିଣା ହେବ ଏହା ଭାରତର ବ୍ୟକ୍ତିଗତ ନିଷ୍ପତ୍ତି ବୋଲି ନୂଆଦିଲ୍ଲୀ ସଙ୍କେତ ଦେଇଥିଲା ।

ଅଧିକ ପଢନ୍ତୁ