୨ ଦିନିକିଆ ଭାରତ ଗସ୍ତରେ ଅଛନ୍ତି ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ । ଗତକାଲି (ଗୁରୁବାର) ଦିଲ୍ଲୀର ପାଲମ ବିମାନବନ୍ଦରରେ ରୁଷ୍ ରାଷ୍ଟ୍ରପତି ପୁଟିନ୍ଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱାଗତ କରିଥିଲେ । ରାତିରେ ପ୍ରଧାନମନ୍ତ୍ରୀଙ୍କ ବାସ ଭବନରେ ନୈଶ୍ୟ ଭୋଜନ କରିଥିଲେ ପୁଟିନ । ଏହି ଅବସରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ସହ ଗୀତା ଉପହାର ଦେଇଛନ୍ତି । ସୋସିଆଲ ମିଡିଆରେ ସୂଚନା ଦେଇ ମୋଦି ଲେଖିଛନ୍ତି, ରାଷ୍ଟ୍ରପତି ପୁଟିନଙ୍କୁ ରୁଷିଆ ଭାଷାରେ ଗୀତାର ଏକ କପି ପ୍ରଦାନ କଲି । ଗୀତାର ଶିକ୍ଷା ବିଶ୍ୱର ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରେରଣା ଦିଏ ।ୟୁକ୍ରେନ୍ ଯୁଦ୍ଧ ପରେ ପ୍ରଥମ ଥର ଲାଗି ଭାରତ ଆସିଛନ୍ତି ପୁଟିନ୍ । ଭାରତ ଗସ୍ତର ଦ୍ୱିତୀୟ ଦିନ ଅର୍ଥାତ ଆଜି ଶୁକ୍ରବାର ପୁଟିନ୍ ପୂର୍ବାହ୍ନ ୧୧ଟାରେ ରାଷ୍ଟ୍ରପତି ଭବନ ଅଭିମୁଖେ ବାହାରିବେ । ସେଠାରେ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯିବ । ପୂର୍ବାହ୍ନ ସାଢ଼େ ୧୧ଟାରେ ସେ ରାଜଘାଟକୁ ଯିବେ । ସେଠାରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବେ । ୧୧ଟା ୫୦ରେ ହାଇଦ୍ରାବାଦ ହାଉସ୍ରେ ମୋଦିଙ୍କୁ ଭେଟିବେ । ସେଠାରେ ଦୁଇ ନେତାଙ୍କ ମଧ୍ୟରେ ଏକ ବୈଠକ ଆୟୋଜନ ହେବ । ଏହି ଅବସରରେ ପ୍ରତିନିଧି ସ୍ତରୀୟ ଆଲୋଚନା ମଧ୍ୟ ସାମିଲ ଅଛି । ବୈଠକରେ କେତେଜଣ ପ୍ରମୁଖ ଉଦ୍ୟୋଗପତି ମଧ୍ୟ ଭାଗ ନେଇପାରନ୍ତି । ଅପରାହ୍ନ ୧ଟା ୫୦ ମିନିଟ୍ରେ ପୁଟିନ୍ ହାଇଦ୍ରାବାଦ ହାଉସ୍ରେ ଏକ ଯୁଗ୍ମ ସାମ୍ବାଦିକ ସମ୍ମିଳନୀରେ ଭାଗନେବେ । ମୋଦି କହିଛନ୍ତି, ମୋର ବନ୍ଧୁ ରାଷ୍ଟ୍ରପତି ପୁଟିନଙ୍କୁ ଦିଲ୍ଲୀରେ ସ୍ବାଗତ କରି ଖୁସି ଅନୁଭବ କରୁଛି। ଭାରତ ଏବଂ ରୁଷର ବନ୍ଧୁତା ବହୁ ପରୀକ୍ଷିତ । ଏଥିରୁ ଆମ ଲୋକଙ୍କୁ ବହୁତ ଲାଭ ମିଳିଛି ।
