ରାୟଗଡ଼ା, ତା. ୧୮ ମାର୍ଚ୍ଚ ୨୦୨୬:
ଜନସାଧାରଣଙ୍କ ସୂଚନାର୍ଥେ ଏହିମାଧ୍ୟମରେ ଜଣାଇ ଦିଆଯାଉଛି ଯେ, ଜାତୀୟ ରାଜପଥ–୩୨୬ ଅନ୍ତର୍ଗତ ରାୟଗଡ଼ା ସହରର ଗୁରୁତ୍ୱପୂର୍ଣ୍ଣ ରେଳ ଓଭର ବ୍ରିଜ (ROB) ଉପରେ ଆବଶ୍ୟକୀୟ ପୁନରୁଦ୍ଧାର ଓ ମରାମତି କାର୍ଯ୍ୟ ଚାଲିଥିବାରୁ ତା. ୧୦ ଜାନୁଆରୀ ୨୦୨୬ ଠାରୁ ସେତୁଟିକୁ ସମସ୍ତ ପ୍ରକାର ଯାନ ଚଳାଚଳ ପାଇଁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଥିଲା। ଏହା ଫଳରେ ସାଧାରଣ ଜନଜୀବନ ଓ ଯାତାୟାତ ବ୍ୟବସ୍ଥାରେ କିଛି ସମସ୍ୟା ସୃଷ୍ଟି ହୋଇଥିଲେ ମଧ୍ୟ, ସୁରକ୍ଷାକୁ ପ୍ରାଥମିକତା ଦେଇ ଏହି ପଦକ୍ଷେପ ଗ୍ରହଣ କରାଯାଇଥିଲା।
ବର୍ତ୍ତମାନ, ପୁନରୁଦ୍ଧାର କାର୍ଯ୍ୟର ଆଂଶିକ ସମାପ୍ତି ଓ ପରିସ୍ଥିତିର ସୁଧାର ହେବା ପରେ, ଜିଲ୍ଲା ପ୍ରଶାସନ ଦ୍ୱାରା ଜନସାଧାରଣଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏକ ଆଂଶିକ ରାହତ ଦିଆଯାଇଛି। ତଦନୁସାରେ, ଆସନ୍ତା ୧୯ ମାର୍ଚ୍ଚ ୨୦୨୬ ତାରିଖରୁ ପ୍ରତିଦିନ ସକାଳ ୭.୦୦ ଘଟିକାରୁ ସନ୍ଧ୍ୟା ୯.୦୦ ଘଟିକା ପର୍ଯ୍ୟନ୍ତ କେବଳ ଦୁଇ ଚକିଆ ଯାନ ଚଳାଚଳ ପାଇଁ ଏହି ROB ଉପରେ ଅନୁମତି ପ୍ରଦାନ କରାଯାଇଛି ବୋଲି ରାୟଗଡ ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୂଲକର୍ଣ୍ଣି ପ୍ରେସ ବlର୍ତ୍ତlରେ କହିଥିଲେ l
ତଥାପି, ଚାଲୁଥିବା ନିର୍ମାଣ କାର୍ଯ୍ୟ ଓ ସେତୁର ସୁରକ୍ଷାକୁ ଦୃଷ୍ଟିରେ ରଖି, ଦୁଇ ଚକିଆ ବ୍ୟତୀତ ଅନ୍ୟ ସମସ୍ତ ଯାନ—ଯଥା ଚାରି ଚକିଆ ଯାନ, ଭାରୀ ଯାନ ଓ ବାଣିଜ୍ୟିକ ଯାନମାନଙ୍କ ଚଳାଚଳ ପୂର୍ବରୁ ଜାରି ଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ ଅନ୍ୟ ବିକଳ୍ପ ରାସ୍ତା ଦ୍ୱାରା ଚାଲୁ ରହିବ।
ଜିଲ୍ଲାପାଳ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ସେତୁ ଉପରେ ଯାତାୟାତ ସମୟରେ ସମସ୍ତ ଯାନଚାଳକ ଗତି ସୀମା ପାଳନ କରିବେ, ହେଲମେଟ୍ ପରିଧାନ କରିବେ ଓ ଟ୍ରାଫିକ୍ ନିୟମକୁ କଢ଼ାକଢ଼ି ମାନିବେ। ଆବଶ୍ୟକ ସ୍ଥାନରେ ପୋଲିସ୍ ଓ ପ୍ରଶାସନିକ କର୍ମଚାରୀମାନେ ନିୟୋଜିତ ରହିବେ, ଯାହା ଯାତାୟାତକୁ ସୁଚାରୁ ଓ ସୁରକ୍ଷିତ ରଖିବାକୁ ସହାୟକ ହେବ।
ସେହିପରି, ଜନସାଧାରଣଙ୍କୁ ଅନୁରୋଧ ଯେ, ଏହି ଅସ୍ଥାୟୀ ବ୍ୟବସ୍ଥାକୁ ସହଯୋଗ କରିବେ ଓ ନିଜ ସୁରକ୍ଷା ସହିତ ଅନ୍ୟମାନଙ୍କ ସୁରକ୍ଷା ପ୍ରତି ସଚେତନ ରହିବେ। ପ୍ରଶାସନ ପକ୍ଷରୁ ଆଶା କରାଯାଉଛି ଯେ, ସମସ୍ତଙ୍କ ସହଯୋଗରେ ଏହି ପୁନରୁଦ୍ଧାର କାର୍ଯ୍ୟ ସମୟୋପଯୋଗୀ ଭାବେ ସମାପ୍ତ ହେବ ଓ ଶୀଘ୍ର ଭବିଷ୍ୟତରେ ସମ୍ପୂର୍ଣ୍ଣ ଯାତାୟାତ ପୁନରୁଦ୍ଧାର କରାଯିବ।
