ନୟାଗଡ଼,(ଓଡ଼ିଶା ଦର୍ପଣ): ନୟାଗଡ଼ ଟାଉନ ରେଳ ପ୍ଲାଟଫର୍ମର ପୂର୍ବ ପାର୍ଶ୍ଵରେ ମାଟି ଦବିଯାଇ ଗଭୀର ଗର୍ତ୍ତ ସୃଷ୍ଟି ହୋଇଛି। ଏହା ଫଳରେ ରେଳଯାତ୍ରୀ ମାନେ ଦୈନିକ ଛୋଟମୋଟ ଦୁର୍ଘଟଣାର ଶିକାର ହେଉଥିବା ଅଭିଯୋଗ ହେଉଛି। ଗତ ଏକ ମାସରୁ ଉର୍ଦ୍ଧ୍ୱ ସମୟ ତଳୁ ଏହି ଗର୍ତ୍ତ ସୃଷ୍ଟି ହୋଇଥିବା ବେଳେ ରେଳ ବିଭାଗ ପକ୍ଷରୁ ଏହାର ମରାମତି ପାଇଁ କୌଣସି ପଦକ୍ଷେପ ନିଆଯାଉ ନାହିଁ। କେବଳ ନାମକୁ ମାତ୍ର ଏହି ଗର୍ତ୍ତ ଚାରିପାଖରେ ବାଲି ବସ୍ତା ରଖାଯାଇ ଏହାକୁ ଘେରାବନ୍ଦୀ କରି ରଖାଯାଇଛି। ତେବେ ରାତ୍ର ସମୟରେ ଟ୍ରେନରେ ଫେରୁଥିବା ଯାତ୍ରୀମାନଙ୍କୁ ଏହା ଦେଖା ଯାଉନଥିବାରୁ ଏହା ମଧ୍ୟରେ ପଡ଼ି ଅନେକ ଆଘାତପ୍ରାପ୍ତ ହେଉଥିବା ଜଣା ପଡିଛି। ଏ ବିଷୟରେ ନୟାଗଡ଼ ନାଗରିକ ମଞ୍ଚ ପକ୍ଷରୁ ଷ୍ଟେସନ ପରିଚାଳକ ପ୍ରଦୀପ୍ତ କୁମାର ବରାଡ଼ଙ୍କୁ ଅଭିଯୋଗ କରାଯାଇଥିବା ବେଳେ ସେ ଏ ନେଇ ବିଭାଗୀୟ ଉଚ୍ଚ କର୍ତ୍ତ୍ରୁପକ୍ଷଙ୍କୁ ତୁରନ୍ତ ଅବଗତ କରିଥିବା ପ୍ରକାଶ କରିଥିଲେ। ତେବେ ଦୀର୍ଘ ଏକ ମାସରୁ ଉର୍ଦ୍ଧ୍ୱ ସମୟ ବିତି ଯାଇଥିବା ବେଳେ ବିଭାଗ ପକ୍ଷରୁ ଏହି ଗର୍ତ୍ତ ମରାମତି କରିବା ପାଇଁ କୌଣସି ପଦକ୍ଷେପ ନିଆଯାଉ ନଥିବା ତଥା ବିଭାଗର ଦାୟିତ୍ୱହୀନତାକୁ ନେଇ ସାଧାରଣରେ ଗଭୀର ଅସନ୍ତୋଷ ପ୍ରକାଶ ପାଇବା ସହିତ ତୁରନ୍ତ ମରାମତି ଦାବି କରାଯାଇଛି।