ଲକ୍ଷାଧିକ ଟଙ୍କା ହାରି ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା ଉଦ୍ୟମ କଲେ ବ୍ୟକ୍ତି।

ବାଲେଶ୍ବର ଜିଲ୍ଲା ଜଳେଶ୍ୱର ବ୍ଲକ ରାଇବଣିଆ ଥାନା ଅଧିନସ୍ଥ ଚମାରଗାଁ ପଞ୍ଚାୟତର ତେଘରୀ ଗ୍ରାମରେ ଅନଲାଇନ ଗେମରେ ଲକ୍ଷାଧିକ ଟଙ୍କା ହରାଇଥିବା ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ପରେ ପରିବାର ଲୋକ ଉକ୍ତ ବ୍ୟକ୍ତିଙ୍କ ଏପରି ଅବସ୍ଥା ଦେଖି ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଅଧିକ ଟଙ୍କା ରୋଜଗାର ଲକ୍ଷରେ ପ୍ରଥମେ ଅଳ୍ପକିଛି ଟଙ୍କା ଲଗାଉଛନ୍ତି। ଆଉ ଏହି ନିଶା ଧିରେ ଧିରେ ପେଶାରେ ପରିଣତ ହୋଇଯାଉଛି। ସବୁକିଛି ଭୁଲି ଅଧିକାଂଶ ଯୁବପିଢୀ ଅନଲାଇନ୍ ଗେମର ବଶବର୍ତ୍ତୀ ହୋଇଯାଉଛନ୍ତି। ଆଉ ଏହି ଅନଲାଇନ୍ ଗେମ୍ ଖେଳି ଲକ୍ଷାଧିକ ଟଙ୍କା ମଧ୍ୟ ହରାଉଛନ୍ତି। ଯେପରି ଏହି ବ୍ୟକ୍ତି ଜଣକ।ଯୁବକ ଜଣକ ହେଉଛନ୍ତି ପୂର୍ଣ୍ଣଚନ୍ଦ୍ର ରାୟଙ୍କ ପୁଅ ସର୍ବଜିତ ରାୟ(୪୪)। ତାଙ୍କ ପତ୍ନୀ ତାଙ୍କ ଠାରୁ ଦୂରେଇ ରହୁଥିବା ବେଳେ ତାଙ୍କର ସାତବର୍ଷର ଏକ ଝିଅ ମଧ୍ୟ ରହିଛି।

ସର୍ବଜିତ ଜଣେ ସଫ୍ଟଓୟାର ଇଞ୍ଜିନିୟର ହୋଇଥିବା ବେଳେ ସେ ଚେନ୍ନାଇରେ ଚାକିରି କରିଥିଲେ। ତେବେ ଗତ କିଛି ଦିନ ହେଲା ଚାକିରି ଛାଡ଼ି ଗାଁ ରେ ଟ୍ୟୁସନ କରି ଚଳୁଥିଲେ।ଗତ କିଛି ଦିନ ତଳେ ସେ ଜୁପି ଅନଲାଇନ ଗ୍ୟାମ ଖେଳି ୨୦ ହଜାର ଟଙ୍କା ହରାଇଥିଲେ। ଏହାପରେ ସେହି ଟଙ୍କା ରିକଭରି କରିବା ଲୋଭରେ ବାରମ୍ବାର ଖେଳି ପାଖାପାଖି ୬ ଲକ୍ଷ ଟଙ୍କା ହରାଇଛନ୍ତି। ଆଜି ସକାଳେ ମାନସିକ ଭାରସାମ୍ୟ ହରାଇ ନିଜ ତଣ୍ଟି ଓ ବାମ ହାତର ଶିରକୁ ବ୍ଲେଡରେ କାଟି ଦେଇଥିଲେ। ପରିବାର ଲୋକେ ଜାଣିବା ପରେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ଜଳେଶ୍ଵର ଜିକେ ଭଟ୍ଟର ହସ୍ପିଟାଲକୁ ଆଣିଥିଲେ। ସେଠାରେ ତାଙ୍କର ଅବସ୍ଥା ସଙ୍କଟାପନ୍ନ ହେବାରୁ ପୁଣି ବାଲେଶ୍ବର ଫକୀରମୋହନ ମେଡିକାଲ କଲେଜକୁ ପଠା ଯାଇଛି।

ଅଧିକ ପଢନ୍ତୁ

Odisha Darpan Digital