କୂଟନୈତିକ ସ୍ତରରେ ଚୁକ୍ତି ପରେ ସୀମାରେ ଭାରତ ଓ ଚାଇନା ମଧ୍ୟରେ ସମ୍ପର୍କ ସୁଧାର ଆସିଛି। ଗୁରୁବାର ଦୁଇ ପକ୍ଷର ସୈନିକ ଦୀପାବଳି ଅବସରରେ ପରସ୍ପର ମିଠା ବିନିମୟ କରି ଶୁଭେଚ୍ଛା ଜଣାଇଛନ୍ତି। ଏଥିସହିତ ପ୍ରକୃତ ନିୟନ୍ତ୍ରଣ ରେଖା(ଏଲଏସି)ରେ ସଂଘର୍ଷ ହୋଇଥିବା ଡେପସାଙ୍ଗ ଏବଂ ଡେମଚୋକରେ ଅଞ୍ଚଳରେ ପାଟ୍ରୋଲିଂ ଆରମ୍ଭ କରିଛନ୍ତି। ପୂର୍ବରୁ ଦୁଇ ଦେଶର ସେନା ପଛକୁ ଫେରିବା ଶେଷ ହେବାର ଖବର ଆସିଛି।୨୦୨୦ରେ ଗଲୱାନ ସଂଘର୍ଷ ପରେ ଏହି ବିବାଦୀୟ ଅଞ୍ଚଳରେ ଉଭୟ ଦେଶ ନିଜର ସୈନ୍ୟ ମୁତୟନ ସହିତ ଶିବିର ସ୍ଥାପନ କରିଥିଲେ।
ଅକ୍ଟୋବର ୨୧ରେ ଉଭୟ ଦେଶ ମଧ୍ୟରେ ବୁଝାମଣା ପରେ ଏଠାରୁ ସୈନ୍ୟ ପ୍ରତ୍ୟାହାର ନିଷ୍ପତ୍ତି ହୋଇଥିଲା। ନିଷ୍ପତ୍ତି ଆଧାରରେ ଉଭୟ ଦେଶ ନିଜର ସୈନ୍ୟ ପ୍ରତ୍ୟାହାର ସହିତ ଶିବିର ସବୁକୁ ଉଚ୍ଛେଦ କରିନେଇଛନ୍ତି। ଅକ୍ଟୋବର ୨୩ ତାରିଖରେ ରୁଷିଆର କାଜାନ ସହରରେ ଆୟୋଜିତ ବ୍ରିକ୍ସ ସମ୍ମିଳନୀ ଅବସରରେ ସୀମାରେ ସ୍ଥିରତା, ସହାବସ୍ଥାନ ନେଇ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ଗତ ୨୫ ତାରିଖରେ ଏଲଏସିରୁ ୫ଟି ଲେଖାଏଁ ତମ୍ବୁ ହଟାଇଥିଲେ ଭାରତ ଓ ଚୀନ । ଏବେ ଗତ ଚାରି ବର୍ଷ ଧରି ଚାଲିଥିବା ଭାରତ, ଚୀନ୍ ସୀମାରେ ଉତ୍ତେଜନା ଏକ ପ୍ରକାର ଶେଷ ହୋଇଛି ।