ଲାଲ୍ କିଲା ଉପରେ ମାଲିକାନା ପାଇଁ ଦାବି କରିଥିବା ଜଣେ ମହିଳାଙ୍କ ଆବେଦନକୁ ସୁପ୍ରିମ୍କୋର୍ଟ ଖାରଜ କରିଛନ୍ତି । ଆବେଦନକାରୀ ହେଉଛନ୍ତି ରଜିୟା ସୁଲତାନା ବେଗମ୍ । ତାଙ୍କର ଦାବି ଯେ ସେ ଶେଷ ମୋଗଲ ବାଦ୍ଶାହ ବାହାଦୁର ଶାହ ଜଫରଙ୍କ ଅଣନାତି ମିର୍ଜା ବେଦାର ବଖ୍ତଙ୍କ ପତ୍ନୀ । ଆଇନଗତ ଉତ୍ତରାଧିକାରୀ ହୋଇଥିବାରୁ ରଜିୟା ନିଜ ଆବେଦନରେ ଲାଲ୍ କିଲାକୁ ତାଙ୍କୁ ଫେରାଇବାକୁ ନଚେତ୍ ୧୮୫୭ ମସିହାରୁ ଆଜି ପର୍ଯ୍ୟନ୍ତ କ୍ଷତିପୂରଣ ଦେବାକୁ କୋର୍ଟରେ ଦାବି କରିଥିଲେ । ସୋମବାର ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସଞ୍ଜୀବ ଖାନ୍ନାଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠରେ ଏହାର ଶୁଣାଣି କରାଯାଇଛି। ସୁଲତାନା ବେଗମ କେବଳ ଲାଲକିଲ୍ଲା କାହିଁକି ମୋଗଲ ଶାସନକାଳରେ ନିର୍ମିତ ଫତେପୁର ସିକ୍ରି ଦୁର୍ଗର ମାଲିକାନା ସ୍ବତ୍ବ ଦାବି କରିନାହାନ୍ତି ବୋଲି ଶୁଣାଣି ସମୟରେ ଖଣ୍ଡପୀଠ ପ୍ରଶ୍ନ କରିଛନ୍ତି।
ଏଥିରୁ ପ୍ରମାଣିତ ହେଉଛି ଯେ ସୁଲତାନାଙ୍କ ଏଭଳି ଦାବି ସମ୍ପୂର୍ଣ୍ଣ ଭିତ୍ତିହୀନ ଏବଂ ଅଯୁକ୍ତିକର। ମୋଗଲ ଶାସକଙ୍କ ଉତ୍ତରାଧିକାରୀ ହୋଇଥିବାରୁ ସୁଲତାନା ପ୍ରଥମେ ଲାଲକିଲ୍ଲାର ମାଲିକାନା ସ୍ବତ୍ବ ଦାବି କରି ୨୦୨୧ରେ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଭାରତ ସରକାର ବେଆଇନ ଭାବେ ଲାଲକିଲ୍ଲାକୁ କବ୍ଜା କରିଥିବାରୁ ତାଙ୍କୁ ଉପଯୁକ୍ତ କ୍ଷତିପୂରଣ ଦେବାକୁ ସୁଲତାନା ସେତେବେଳେ ପିଟିସନରେ ଉଲ୍ଲେଖ କରିଥିଲେ। ମୋଗଲ ଶାସନର ଅନ୍ତ ଘଟିବାର ପ୍ରାୟ ଶହେ ବର୍ଷ ପରେ ଏଭଳି ଦାବି କରିବା ଯୁକ୍ତିସଙ୍ଗତ ନୁହେଁ ବୋଲି ଦର୍ଶାଇ ହାଇକୋର୍ଟ ସୁଲତାନାଙ୍କ ପିଟିସନକୁ ଖାରଜ କରିଦେଇଥିଲେ।ସେ ଆହୁରି କହିଥିଲେ, ୧୯୬୦ରେ ଜୱାହରଲାଲ ନେହରୁଙ୍କ ସରକାର ମିର୍ଜା ମହମ୍ମଦ ବେଦାର ବଖ୍ତଙ୍କୁ ବାହାଦୁର ଶାହ ଜଫରଙ୍କ ଉତ୍ତରାଧିକାରୀ ମାନିଥିଲେ ଏବଂ ତାଙ୍କୁ ରାଜନୈତିକ ଭତ୍ତା ଦେଇଥିଲେ । ୨୦୨୪, ଡିସେମ୍ବରରେ ସୁଲତାନା ୨ୟ ଥର ଆବେଦନ କରିଥିଲେ । ଏହାକୁ କାର୍ଯ୍ୟବାହକ ମୁଖ୍ୟ ବିଚାରପତି ବିଭୁ ବାଖରୁ ଓ ଜଷ୍ଟିସ୍ ତୁଷାର ରାଓ ଗେଡେଲାଙ୍କ ଖଣ୍ଡପୀଠ ଖାରଜ କରିଥିଲେ ।