ଲିଙ୍ଗରାଜ ମନ୍ଦିରରେ ସେବାୟତ ଖସିପଡିବା ଘଟଣା; ପ୍ରଶାସନକୁ ଦାୟୀ କଲେ ସେବାୟତଙ୍କ ପୁଅ

ଶିବରାତ୍ରୀ ପାଇଁ ରାଜଧାନୀର ଲିଙ୍ଗରାଜ ମନ୍ଦିର ବେଶ ଚଳଚଞ୍ଚଳ ଥିବା ବେଳେ ହଠାତ୍ ବଡ ଅଘଟଣ ଘଟିଛି। ପ୍ରଥମ ଅଘଟଣ ଥିଲା ନିର୍ଦ୍ଦାରିତ ସମୟର ୪୦ ମିନିଟ ବିଳମ୍ବରେ ମହାଦୀପ ଉଠିଥିବା ବେଳେ ଦ୍ବିତୀୟ ଅଘଟଣ ହେଉଛି ମହାଦୀପ ନେଇ ମନ୍ଦିର ଚୂଡାକୁ ଯାଉଥିବା ବେଳେ ଜଣେ ସେବାୟତ ଖସିପଡିଛନ୍ତି। ଏହି ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ସେବାୟତ ଯୋଗେନ୍ଦ୍ର ସମର୍ଥାଙ୍କ ପୁଅ ଅଶ୍ୱିନୀ ସମର୍ଥା। ଏହି ଅଘଟଣ ପାଇଁ ପ୍ରଶାସନ ଅବହେଳାକୁ ଦାୟୀ କରିଛନ୍ତି। ସେ କହିଛନ୍ତି, ପ୍ରଶାସନ ସେବାୟତଙ୍କ ପ୍ରତି ଧ୍ୟାନ ଦିଅନ୍ତୁ। ବାପା ଏବେ ସୁସ୍ଥ ଅଛନ୍ତି। ତାଙ୍କର ସିଟି ସ୍କାନ୍‌ ହେବ। ହାତରେ ଗରମ ଘିଅ ପଡ଼ିଯିବାରୁ ବାପା ଖସି ପଡିଥିଲେ। ମହାଦୀପରେ ଅଧିକ ଘିଅ ଥିବାରୁ ଢାଳି ଯାଇଥିଲା। ମହାନଦୀରେ ଘିଅ ପରିମାଣ କେତେ ରହିବ ପ୍ରଶାସନ ଦେଖିବା କଥା। ପ୍ରତିବର୍ଷ ବାପା ହିଁ ମନ୍ଦିର ଉପରକୁ ମହାଦୀପ ନେଇ ଯାନ୍ତି। ୨୫ରୁ ୩୦ ବର୍ଷ ମଧ୍ୟରେ କେବେ ଏଭଳି ଅଘଟଣ ଘଟିନଥିଲା।

ଅଶ୍ୱିନୀଙ୍କ ବଡବାପାଙ୍କ ପୁଅ ମନ୍ଦିର ଚୂଡାକୁ ମହାଦୀପ ନେଇଥିଲେ। ଆମ ସେବାରେ ଜୀବନ ପ୍ରତି ବିପଦ ରହିଛି ବୋଲି ସେ କହିଛନ୍ତି ।ଏଠାରେ ପ୍ରଶ୍ନ ଉଠୁଛି କାହିଁକି ଏପରି ଅଘଟଣ ଘଟିଲା। ମହାପ୍ରଭୁଙ୍କ ନିକଟରେ ବିଳମ୍ବରେ ମହାଦୀପ ଉଠିବା ପରେ ସେବାୟତ ଖସିପଡିଛନ୍ତି। ଏହା କେଉଁ ପ୍ରକାର ସଂକେତ ତାହାକୁ ନେଇ ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅନ୍ୟପଟେ ମହାଦୀପ ଉଠିବା ବେଳେ ଯେଉଁ ଅଘଟଣ ଘଟିଛି ତାହା ଶ୍ରୀଜିଉଙ୍କ ରଥଯାତ୍ରା ସମୟରେ ହୋଇଥିବା ମହା ଅଘଟଣା କଥାକୁ ମନେ ପକାଇ ଦେଇଛି । ତାଳଧ୍ବଜ ରଥରେ ଗୋଟି ପହଣ୍ଡି ସମୟରେ ବଡ଼ଠାକୁର ବଳଭଦ୍ର ଅଣେଇ ହୋଇ ପଡ଼ିଯାଇଥିଲେ । ଏଥିରେ ସେବାୟତମାନେ ଆହତ ମଧ୍ୟ ହୋଇଥିଲେ । ସେତେବେଳେ ଏହି ଅଘଟଣକୁ ନେଇ ଅନେକ ଚର୍ଚ୍ଚା ହୋଇଥିଲା।

ଅଧିକ ପଢନ୍ତୁ