ହଜାର ଟଙ୍କାରେ ଶ୍ରୀମନ୍ଦିରରେ ମିଳିବ ଭିଆଇପି ଦର୍ଶନ । ଆଉ ଲମ୍ବା ଲାଇନ୍ ବା ଧାଡିରେ ଠିଆ ନହୋଇ ସିଧାସଳଖ ଶ୍ରୀମନ୍ଦିର ଭିତରକୁ ଯିବେ ଭକ୍ତ । ଏହାସହ ତୁଳସୀ ଓ ମହାପ୍ରଭୁଙ୍କ ପୂଜା ଫୁଲ ମଧ୍ୟ ମିଳିବ । ଜଣେ ସେବକ ଆପଣଙ୍କ ପାଖରେ ରହି ଶ୍ରୀମନ୍ଦିର ବିଷୟରେ ଆପଣଙ୍କୁ ବୁଝାଇବେ । ଏଭଳି ସୁବିଧା ହରି ଓମ ନାମକ ଏକ ଅନଲାଇନ ଆପ୍ଲିକେସନରେ ମିଳୁଛି ବୋଲି ପ୍ରଚାର କରାଯାଉଛି । ଏବେ ଏଭଳି ମେଲ୍ ବି ଆସୁଛି ଭକ୍ତଙ୍କୁ । ଏ ସୁବିଧା ନେଇ ଗତ ୨୭ ତାରିଖରେ ମେଲ୍ ଆସିଛି ।ବଡ଼ କଥା ହେଉଛି ଛପନ ଭୋଗକୁ ଏଥିରେ ଡାଲି ଭାତ ବୋଲି ଦର୍ଶାଯାଇଛି । ନିର୍ଦ୍ଧାରତ ସମୟରେ ୩୦ ମିନିଟ୍ ପୂର୍ବରୁ ପହଞ୍ଚିବାକୁ ନିର୍ଦ୍ଦେଶ ରହିଛି । ନିଜ ଆଇଡି କାର୍ଡ ମଧ୍ୟ ରଖିବାକୁ କୁହାଯାଇଛି । ତେବେ କାମାକ୍ଷୀ ଶ୍ରୀବାସ୍ତବ ନାମକ ଜଣେ ବ୍ୟକ୍ତି ନିଜ ପରିବାର ପାଇଁ ଏହି ବୁକିଙ୍ଗ କରି ମେଲ ପାଇଥିଲେ । ୮ ଜଣଙ୍କ ପାଇଁ ୮ ହଜାର ଟଙ୍କା ସେ ପେମେଣ୍ଟ କରିଛନ୍ତି । ୨୫ ତାରିଖରେ ବୁକିଂ କରିବା ପରେ ୨୭ ତାରିଖରେ କନ୍ଫର୍ମେସନ୍ ପାଇଥିଲେ । ଯେଉଁ ମେଲର ଏକ କପି ଏବେ ସୋସିଆଲ ମିଡ଼ିଆ ରେ ଘୁରି ବୁଲୁଛି । ତେବେ ଶ୍ରୀମନ୍ଦିର ରେ ଏଭଳି କୌଣସି ବ୍ୟବସ୍ଥା ନଥିବା ବେଳେ ଏଭଳି ଚିତ୍ର କେମିତି ଆସିଲା , ତାହା ତଦନ୍ତ ସାପେକ୍ଷ ।ଏନେଇ ଅସନ୍ତୋଷ ବ୍ୟକ୍ତ କରି ପୁରୀ ବାସିନ୍ଦା ସପନ ତରାଇ କହିଛନ୍ତି, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଭିଆଇପିଙ୍କର କରିଦେବାକୁ ଚକ୍ରାନ୍ତ ଚାଲିଛି । ଯିଏ ପ୍ରକୃତ ଭକ୍ତ ସେ ପ୍ରଭୁଙ୍କ ଦର୍ଶନ ପାଉନି । ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର କରୁଥିବା ବ୍ୟକ୍ତିକୁ ଅଣଦେଖା କରାଯାଉଛି। ମହାପ୍ରଭୁଙ୍କୁ ଭିଆଇପିଙ୍କ ଠାକୁର କରି ଦିଆଯାଇଛି ।
