ଲୋକସେବା ଭବନରେ କେନ୍ଦ୍ରୀୟ ଟିମ୍ । ଡାଇରିଆ ସ୍ଥିତିକୁ ନେଇ ସ୍ବାସ୍ଥ୍ୟ ସଚିବଙ୍କ ସହ ବସିଛି ସମୀକ୍ଷା ବୈଠକ । ରାଜ୍ୟରେ ଡାଇରିଆ ସ୍ଥିତିକୁ ନେଇ ବୈଠକରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା ଚାଲିଛି । ସ୍ବାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ ଏହି ବୈଠକରେ ଉପସ୍ଥିତ ଅଛନ୍ତି । ୫ଟି ଜିଲ୍ଲାରେ ଡାଇରିଆ ପରେ ସବୁ ଜିଲ୍ଲାକୁ ଆଲର୍ଟ କରିଛି ସ୍ବାସ୍ଥ୍ୟ ବିଭାଗ ।ସୂଚନା ଅନୁସାରେ, ଗୋଟିଏ ପରେ ଗୋଟିଏ ଜିଲ୍ଲାକୁ ମାଡ଼ି ଚାଲିଛି ଡାଇରିଆ । ଏବେ ବାଲେଶ୍ବରକୁ ଡେଇଁଛି ଡାଇରିଆ । ବାଲେଶ୍ବର ଜିଲ୍ଲା ସୋରରେ କିଛି ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଏପଟେ ଯାଜପୁରରେ ବଢିଲା ମୃତ୍ୟୁ ସଂଖ୍ୟା । ତେବେ ଯାଜପୁର ସମେତ ଝାଡ଼ାବାନ୍ତି ପ୍ରଭାବିତ ଅଞ୍ଚଳ ବୁଲି ସ୍ଥିତି ପରିଖିଛନ୍ତି କେନ୍ଦ୍ରୀୟ ଟିମ୍ । ଆଉ ସେମାନେ ସଂଗ୍ରହ କରିଥିବା ରିପୋର୍ଟ ଆଧାରରେ ଏବେ ସ୍ବାସ୍ଥ୍ୟ ବିଭାଗର ଟିମ୍ ସହ ଚାଲିଛି ଆଲୋଚନା ।। ଆଜି ସୁଦ୍ଧା ରାଜ୍ୟର ୮ଟି ଜିଲ୍ଲାରେ ଶହ ଶହ ଡାଇରିଆ ରୋଗୀ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, କଟକ, ଢେଙ୍କାନାଳ, କେନ୍ଦୁଝର, ପୁରୀ ଓ ବାଲେଶ୍ବରରେ ଝାଡ଼ାବାନ୍ତି ରୋଗୀଙ୍କ ସଂଖ୍ୟା ବଢ଼ିଚାଲିଛି ।
