କୁମାର ପୂର୍ଣ୍ଣିମା ପରେ ପୁଣିଥରେ କାଳୀପୂଜା ଓ ଦୀପାବଳି ଅମାବାସ୍ୟା ପାଳନକୁ ନେଇ ଦ୍ୱନ୍ଦ୍ୱ ଦେଖିବାକୁ ମିଳିଛି। ଚଳିତବର୍ଷ ପାଞ୍ଜି ଓ କ୍ୟାଲେଣ୍ଡରରେ ଅନେକ ଗୁରୁତର ତ୍ରୁଟି ଓ ଦ୍ୱନ୍ଦ୍ୱ ରହିଛି। ଚଳିତବର୍ଷ ଦୀପାବଳି ଅମାବାସ୍ୟା ପାଳନ ଓ ପୟାଶ୍ରାଦ୍ଧ ପାଳନକୁ ନେଇ ଦ୍ୱନ୍ଦ୍ୱ ଉପୁଜୁଥିବା ପରିଲକ୍ଷିତ ହୋଇଛି। ବିରାଜ ପାଞ୍ଜିକୁ ମାନୁଥିବା ଜିଲ୍ଲା ଗୁଡ଼ିକରେ ଆଜି ଦୀପାବଳି ପାଳନ ହେଉଛି । ସେପଟେ ଜଗନ୍ନାଥ ପଞ୍ଜିକାକୁ ଅନୁସରଣ କରୁଥିବା ଜିଲ୍ଲା ଗୁଡ଼ିକରେ ଆସନ୍ତାକାଲି ଦୀପାବଳି ପାଳନ କରୁଛନ୍ତି । ଶ୍ରୀମନ୍ଦିରରେ ମଧ୍ୟ ଆସନ୍ତାକାଲି ପୟା ଶ୍ରାଦ୍ଧ ଅର୍ପଣ ଓ ବଡବଡୁଆ ଡକାଯିବ । ପାଞ୍ଜିରେ ଉଲ୍ଲେଖ ରହିଛି ଯେ, ଅମାବାସ୍ୟା ମଧ୍ୟରାତ୍ରି ପରେ ଆସୁଛି। ଯାହାକୁ ନେଇ ସବୁ ଦ୍ୱନ୍ଦ୍ୱ ଆରମ୍ଭ ହୋଇଛି । ମଧ୍ୟ ରାତ୍ରି ପରେ ଅମାବାସ୍ୟା ଆସୁଥିବାରୁ ଆସନ୍ତାକାଲି ଦୀପାବଳି ପାଳନ ନେଇ ଜଗନ୍ନାଥ ପାଞ୍ଜିରେ ଉଲ୍ଲେଖ ରହିଛି । ହେଲେ କାଳିପୂଜା ଆଜିଠାରୁ ଆରମ୍ଭ ହେବ ବୋଲି ଲେଖା ଯାଇଛି। ଏହାରି ଭିତରେ ଶ୍ରୀମନ୍ଦିର ବାହାରେ ଅନେକ ଲୋକ ବଡବଡୁଆ ଡାକୁଥିବାର ଦେଖିବାକୁ ମିଳିଛି। ଯେଉଁମାନେ ଆଜି ଦୀପାବଳି ପାଳନ କରୁଛନ୍ତି ସେମାନେ ଆଜି ବଡବଡୁଆ ଡାକିଛନ୍ତି।ପୂଜାପଣ୍ଡା ନିଯୋଗ ସଂପାଦକ ମାଧବ ଚନ୍ଦ୍ର ପୂଜାପଣ୍ଡା ସାମନ୍ତ କହିଛନ୍ତି, ବର୍ତ୍ତମାନ ଆମକୁ ସବୁଆଡ଼ୁ ଫୋନ୍ ଆସୁଛି କି ଦୀପାବଳି ଅମାବାସ୍ୟା ଓ ପୟାଶ୍ରାଦ୍ଧ କେବେ ପାଳିତ ହେବ। ଶ୍ରୀମନ୍ଦିରରେ ନଭେମ୍ବର ୧ ତାରିଖରେ ଦୀପାବଳି ଅମାବାସ୍ୟା ଓ ପୟାଶ୍ରାଦ୍ଧ ପାଳନ ହେଉଛି।
ଅମାବାସ୍ୟା ଠାକୁର ବି ୧ ତାରିଖରେ ଶ୍ରୀମନ୍ଦିରରୁ ବାହାରିବେ। ପୟାଶ୍ରାଦ୍ଧର ସମୟ ନଭେମ୍ବର ୧ ତାରିଖ ସକାଳୁ ଅପରାହ୍ଣ ପ୍ରାୟ ୫ଟା ପର୍ଯ୍ୟନ୍ତ ରହିଛି। ଯାହା ଅକ୍ଟୋବର ୩୧ରେ ନାହିଁ। କିନ୍ତୁ ପାଞ୍ଜିକାରମାନେ ଅକ୍ଟୋବର ୩୧ରେ ଦୀପାବଳି ଅମାବାସ୍ୟା ପଡ଼ୁଥିବା କହି ଦ୍ବନ୍ଦ୍ବ ସୃଷ୍ଟି କରୁଛନ୍ତି।ସେହିପରି ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟ କହିଛନ୍ତି, ପାଞ୍ଜି ତ୍ରୁଟି ଆଜିର ସମସ୍ୟା ନୁହେଁ, କେତେବର୍ଷ ଧରି ଏହା ଜାରି ରହିଛି। ଜ୍ୟୋତିଷମାନେ ଯେଭଁଭଳି ଭାବେ ପରିଶ୍ରମ କରିବା କଥା, ସେହିଭଳି କରୁନାହାନ୍ତି। ପାଶ୍ଚାତ୍ୟ ଦେଶକୁ ନକଲ କରୁଛନ୍ତି। ଅପରପକ୍ଷରେ ଯେଉଁମାନଙ୍କ ଅଧିକ ଜ୍ଞାନ ନାହିଁ ସେମାନେ ମଧ୍ୟ ପାଞ୍ଜି ପ୍ରସ୍ତୁତ କରୁଛନ୍ତି। ତାହା ଠିକ୍ ନୁହେ। ତେବେ ଏ ନେଇ ମୋ’ ସହ ସରକାର କିମ୍ବା ଶ୍ରୀମନ୍ଦିର ପ୍ରଶାସନ ଆଲୋଚନା କରୁନାହାନ୍ତି। ଆଲୋଚନା କଲେ ମୁଁ ଏହା ଉପରେ ମତ ରଖିବି ବୋଲି ଶଙ୍କରାଚାର୍ଯ୍ୟ ପ୍ରକାଶ କରିଛନ୍ତି।