ଶପଥ ନେଲେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍ ସଞ୍ଜୀବ ଖାନ୍ନା । ଜଷ୍ଟିସ୍ ଖାନ୍ନା ୫୧ ତମ ପ୍ରଧାନ ବିଚାରପତି ଭାବେ ଶପଥ ନେଇଛନ୍ତି । ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି ।ଜଷ୍ଟିସ ଖାନ୍ନା ପ୍ରଧାନ ବିଚାରପତି ପଦରେ ୬ମାସ ଅର୍ଥାତ୍ ୨୦୨୫ ମେ’ ୧୩ ତାରିଖ କାର୍ଯ୍ୟଭାର ସମ୍ଭାଳିବେ ।
୧୯୬୦ ମେ’ ୧୪ ତାରିଖରେ ଜଷ୍ଟିସ ସଞ୍ଜୀବ ଖାନ୍ନା ଜନ୍ମ ଗ୍ରହଣ କରିଥିଲେ । ପାଠପଢ଼ା ସରିବା ପରେ ୧୯୮୩ରେ ଦିଲ୍ଲୀ ବାର୍ କାଉନସିଲରେ ଯୋଗଦେଇ ଓକିଲାତି ଜୀବନ ଆରମ୍ଭ କରିଥିଲେ । ସାମ୍ବିଧାନିକ ଆଇନ, ଟିକସ, ମଧ୍ୟସ୍ଥତା ଆଇନ, ବାଣିଜ୍ୟିକ ଆଇନ ଓ ପରିବେଶ ଆଇନ ଉପରେ ତାଙ୍କର ବେଶ୍ ଅଭିଜ୍ଞତା ରହିଛି । ୨୦୧୯ରେ ସେ ସୁପ୍ରିମକୋର୍ଟ ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ । ସେ ନିର୍ବାଚନୀ ବଣ୍ଡ ରଦ୍ଦ ଠାରୁ ଆରମ୍ଭ କରି ଇଭିଏମ୍ ସ୍ବଚ୍ଛତା, ଜମ୍ମୁକାଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ କାଏମ ରଖିବା ଭଳି ଅନେକ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି ।
