ଶରଧାବାଲିରେ ଦଳାଚକଟା ଘଟଣାରେ ତଦନ୍ତ ଆରମ୍ଭ । ଉନ୍ନୟନ କମିଶନର ଅନୁ ଗର୍ଗଙ୍କ ପ୍ରଶାସନିକ ତଦନ୍ତ ଆରମ୍ଭ ହୋଇଛି। ଭୁବନେଶ୍ବର ସ୍ଥିତ ରାଜ୍ୟ ଅତିଥି ଭବନ-ଆନେକ୍ସରେ ଗତକାଲି ପ୍ରଥମ ସାକ୍ଷ ଗ୍ରହଣ କରିଥିଲେ ଅନୁ ଗର୍ଗ । ପ୍ରଥମ ଦିନ ୧୭ ଜଣ ପ୍ରତ୍ୟକ୍ଷଦର୍ଶୀ ସାକ୍ଷ ପ୍ରଦାନ କରିଥିଲେ । ଘଟଣା ସଂପର୍କରେ ବର୍ଣ୍ଣନା କରିଥିଲେ ପ୍ରତ୍ୟକ୍ଷଦର୍ଶୀ । ଆଗ୍ରହୀ ବ୍ୟକ୍ତି ଘଟଣା ସଂପର୍କରେ ସାକ୍ଷ୍ୟ ଓ ତଥ୍ୟ ରଖିଛନ୍ତି ।ଗତ ଜୁନ୍ ୨୯ ତାରିଖରେ ରଥ ଉପରେ ଶ୍ରୀଜିଉଙ୍କୁ ଦର୍ଶନ ପାଇଁ ପ୍ରବଳ ଭିଡ଼ ହୋଇଥିଲା । ଆଉ ସକାଳୁ ସକାଳୁ ଦଳାଚକଟାରେ ୩ ଜଣ ପ୍ରାଣ ହରାଇଥିଲେ । ତଦନ୍ତ ପାଇଁ ସରକାର ଉନ୍ନୟନ କମିସନର ଅନୁ ଗର୍ଗଙ୍କୁ ଦାୟିତ୍ୱ ଦେଇଛନ୍ତି । ଅନୁ ଗର୍ଗ ପୁରୀ ଯାଇ ସ୍ଥିତି ମଧ୍ୟ ଅନୁଧ୍ୟାନ କରିଛନ୍ତି । ତେବେ ଆଜି ଅପରାହ୍ଣ ୩ଟା ପର ଠାରୁ ଜନସାଧାରଣ ଅନୁ ଗର୍ଗଙ୍କୁ ପୁରୀ ସ୍ବତନ୍ତ୍ର ସର୍କିଟ ହାଉସ ଠାରେ ସାକ୍ଷାତ କରି ତଥ୍ୟ ରଖିପାରିବେ। କୌଣସି ବ୍ୟକ୍ତି କିମ୍ବା ସଂସ୍ଥା ଘଟଣାକୁ ନେଇ କୌଣସି ସୂଚନା କିମ୍ବା ତଥ୍ୟ ଭିଡିଓ ଫୁଟେଜ ସହ ଥିଲେ ଆସନ୍ତା ୨୦ ତାରିଖ ସୁଦ୍ଧା puritragedy.enquiry@.odisha.gov.in ଇମେଲ ଯୋଗେ ପଠାଇ ପାରିବେ ।
