ଶାଳୀକୁ ନିଜର କରିବା ଆଶାରେ ଭିଣେଇର ଜୀବନ ଗଲା

ଗଞ୍ଜାମ ଜିଲା ପାଟପୁର ଥାନା ପି. ସାମନ୍ତରାପୁର ଗ୍ରାମର ହୀନ ପାତ୍ରଙ୍କୁ ହତ୍ୟା ଘଟଣାରେ ପାଟପୁର ପୋଲିସ ବୁଧବାର ଶେରଗଡ଼ ଥାନା ସୁନାନ୍ତର ଗ୍ରାମର ଦୀପକ ଗୌଡ଼ ଏବଂ ଠୁରୁବୁରେଇ ଗ୍ରାମର ପିଙ୍କୁ ସେଠୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ପୋଲିସର ସୂଚନା ଅନୁଯାୟୀ ଭିଣେଇ ହୀନ ୬ ବର୍ଷ ପୂର୍ବେ ମାମୁଁ ଝିଅ ପି. ପୂଜାଙ୍କୁ ବିବାହ କରିଥିଲେ । ତେବେ ଅଭିଯୋଗ ଅନୁଯାୟୀ ଏହାରି ଭିତରେ ହୀନର ନଜର ପଡ଼ିଥିଲା ଶାଳୀ ଲିଜାଙ୍କ ଉପରେ ।

ଅନ୍ୟପଟେ ଲିଜା ଗାଁରେ ପାଠ ପଢୁଥିବା ବେଳେ ପାଖ ଗାଁର ଦୀପକଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢିଉଠିଥିଲା । ପରିବାର ଲୋକେ ଘଟଣା ସମ୍ପର୍କରେ ଜାଣିବା ପରେ ଉଭୟ ଅଲଗା ଜାତିର ହୋଇଥିବାରୁ ସେମାନଙ୍କ ବାହାଘର କରାଇବାକୁ ଚାହୁଁନଥିଲେ । ଏହାର ସୁଯୋଗ ନେଇ କୁଆଡ଼େ ହୀନ ନିଜ ଶାଳୀକୁ ପ୍ରେମ ନିବେଦନ କରିବା ସହ ଶାରିରୀକ ସମ୍ପର୍କ ରଖିବା ପାଇଁ କହିଥିଲା । କିନ୍ତୁ ଲିଜା ଏଥିରେ ରାଜି ନଥିଲେ । ପରବର୍ତ୍ତୀ ସମୟରେ ହୀନ ଏକ ଷଡ଼ଯନ୍ତ୍ର କରି ଲିଜାକୁ କହିଥିଲେ ୫୦ ହଜାର ଟଙ୍କା ଦେବି ଦୀପକକୁ ଧରି ଲୁଚିକି ପଳା ।

କିଛି ଦିନ ବାହାରେ ରହି ଆସିବା ପରେ ଶାଳୀକୁ ନିଜ ପାଖରେ ରଖିବାକୁ କହିଥିଲା ଭିଣେଇ ହୀନ । ତେବେ ଏହି ଘଟଣା ଲିଜା ଦୀପକକୁ କହିବା ପରେ ଭିଣେଇକୁ ପାନେ ଦେବା ପାଇଁ ଚକ୍ରବ୍ୟୁହ ରଚିଥିଲା ଦୀପକ । ସୋମବାର ଦିନ ହୀନ ବ୍ରହ୍ମପୁର ଯାଇଥିବା ଖବର ପାଇଥିଲେ ଦୀପକ ଓ ତାର ସାଙ୍ଗ ପିଙ୍କୁ । ଫେରିବା ବାଟରେ ପ୍ରେମିକ ଦୀପକ ଓ ପିଙ୍କୁ କାଳିଆଘାଇ ବ୍ରିଜ୍ ଉପରେ ହୀନଙ୍କୁ ଅଟକାଇ ଘଟଣା ସମ୍ପର୍କରେ ପଚାରି ଥିଲେ । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏଥିରେ ଉତ୍ତେଜିତ ହୋଇ ଦୀପକ ଓ ପିଙ୍କୁ ତାଙ୍କୁ ଆକ୍ରମଣ କରି କେନାଲ ଭିତରକୁ ଫିଙ୍ଗି ଦେଇଥିଲେ ।କେନାଲରେ ପାଣି ନ ଥିଲା। ପରେ ବ୍ରିଜ ତଳକୁ ଯାଇ ଦେଖିବାରୁ ହୀନ ଜୀବିତ ଥିବା ଜଣାପଡ଼ିଥିଲା। ଦୀପକ ତାଙ୍କ ଫୁଲ ଶର୍ଟ କାଢ଼ି ସେଥିରେ ହୀନଙ୍କ ବେକକୁ ଚାପି ମାରିଦେଇଥିଲେ। ପରେ ଉଭୟେ ସେଠାରୁ ବାଇକ୍‌ ଯୋଗେ ଚମ୍ପଟ ମାରିଥିଲେ। ଗଲାବେଳେ ଦୀପକ ତାଙ୍କ ରକ୍ତଲଗା ଶର୍ଟ ଏବଂ ସାଙ୍ଗରେ ଘଟଣାସ୍ଥଳରୁ ନେଇ ଆସିଥିବା ହୀନଙ୍କ ମୋବାଇଲକୁ ନଈବନ୍ଧ ଗ୍ରାମର ଏକ ପୋଖରୀରେ ଫିଙ୍ଗି ଦେଇଥିଲେ। ପୋଲିସ ବୁଧବାର ଘଟଣାସ୍ଥଳରେ କ୍ରାଇମ୍‌ ରିକ୍ରିଏସନ ପରେ ଅଭିଯୁକ୍ତ ଦ୍ବୟଙ୍କୁ କୋର୍ଟ ଚାଲାଣ କରିଥିଲେ। ସେମାନଙ୍କ ନିକଟରୁ ଦୀପକଙ୍କ ରକ୍ତ ଭିଜା ଶର୍ଟ ଏବଂ ହୀନଙ୍କ ମୋବାଇଲ ଜବତ କରିଛନ୍ତି।

ଅଧିକ ପଢନ୍ତୁ

kc ads