ନୟାଗଡ଼, (ଓଡିଶା ଦର୍ପଣ): ନୟାଗଡ଼ ବ୍ରଜେନ୍ଦ୍ର ହାଇସ୍କୁଲ ସଭାକକ୍ଷରେ ପ୍ରାକ୍ତନ ଶିକ୍ଷକ, ଶିକ୍ଷକ ଆନ୍ଦୋଳନର ପ୍ରମୁଖ ନେତା ତଥା ଦକ୍ଷ ଶିକ୍ଷା ସଙ୍ଗଠକ ଅଲେଖ ବେହେରାଙ୍କୁ ପୁରାତନ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ବିପୁଳ ଉତ୍ସାହ ଉଦ୍ଦୀପନା ସହିତ ଗୁରୁ ପୂଜନ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବର୍ଷୀୟାନ ଶିକ୍ଷକ ଲିଙ୍ଗରାଜ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାକୁ ପରିଚାଳନା କରିଥିଲେ ପ୍ରାକ୍ତନ ଛାତ୍ର ବିଶ୍ଵନାଥ ମହାପାତ୍ର। ଅଧ୍ୟାପିକା ନୀଳିମା ନନ୍ଦ ସର୍ବପ୍ରଥମେ ଗୁରୁବନ୍ଦନା ପାଠ କଲାପରେ ଗୁରୁଜୀଙ୍କ ଶତାଧିକ ପୁରାତନ ଛାତ୍ରଛାତ୍ରୀ ପୁଷ୍ପଗୁଚ୍ଛ ସହ ଉତ୍ତରୀୟ ପ୍ରଦାନ ପୂର୍ବକ ଗୁରୁ ପ୍ରଣାମ କରିଥିଲେ। ଅତିଥିଭାବେ ଯୋଗ ଦେଇ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଓ ଦଶପଲ୍ଲାର ବିଧାୟକ ରମେଶ ଚନ୍ଦ୍ର ବେହେରା ଗୁରୁ ଶିଷ୍ୟ ସମ୍ପର୍କର ପବିତ୍ର ବନ୍ଧନ, ଗୁରୁ ପୂଜନର ମହନୀୟ ପରମ୍ପରା ଓ ଶିକ୍ଷକ ଅଲେଖ ବେହେରାଙ୍କ ଶୈକ୍ଷିକ ଅବଦାନ ଉପରେ ଆଲୋକପାତ କରି ଏଭଳି ମୂଲ୍ୟବୋଧ ଭିତ୍ତିକ କାର୍ଯ୍ୟକ୍ରମ ସମାଜକୁ ଦିଗଦର୍ଶନ ଦେବାରେ ମାଇଲଖୁଣ୍ଟ ହେବ ବୋଲି ମତବ୍ୟକ୍ତ କରିଥିଲେ। ଅଲେଖ ସାରଙ୍କ ପ୍ରିୟ ଛାତ୍ର ତଥା ବିଶିଷ୍ଟ ସାହିତ୍ୟିକ ଡ଼. ପ୍ରେମାନନ୍ଦ ମହାପାତ୍ର, ଅଧ୍ୟାପିକା ଡ଼. କନକଲତା ମହାପାତ୍ର, ପଣ୍ଡିତ ଗୌରାଙ୍ଗ ରଥ, ଶଙ୍କର୍ଷଣ କର, ଏସ୍ଏ ଖାଲିକ୍, ଡଃ ଭଗବାନ ଦାଶ ପ୍ରମୁଖ ଗୁରୁଜୀଙ୍କ ନିଷ୍ଠାପର ଶିକ୍ଷା ଦାନ, ତାଙ୍କ ଦ୍ଵାରା ଗଢ଼ିଉଠିଥିବା ମାଳିସାହି ମଧ୍ୟ ଇଂରାଜୀ ବିଦ୍ୟାଳୟ, ଗତିକେଶ ଉଚ୍ଚ ବିଦ୍ୟାଳୟ, ଗତୀଶ୍ଵର ମହାବିଦ୍ୟାଳୟ ଭଳି ଯୁଗଜୟୀ କୀର୍ତ୍ତିର ମହିମା ଉପରେ ଆଲୋକପାତ କରିଥିଲେ। ଏହି ଗୁରୁ ପୂଜନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ପ୍ରାକ୍ତନ ଛାତ୍ର ପ୍ରଧାନୀ ବୃନ୍ଦାବନ ମହାପାତ୍ର, ନିରଞ୍ଜନ ସାହୁ, ବିଶ୍ଵନାଥ ମିଶ୍ର, ପ୍ରଦୀପ୍ତ କୁମାର ମହାନ୍ତି, ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ମଞ୍ଜୁଲତା ମହାପାତ୍ର ଓ ସୁରେନ୍ଦ୍ର ନାଥ ପ୍ରଧାନ ପ୍ରମୁଖ। ଗୁରୁଜୀ ଅଲେଖ ବେହେରା ଭାବବିହ୍ଵଳ ଭାଷାରେ ଗୁରୁ ପୂଜନର ଉତ୍ତରରେ ସମସ୍ତଙ୍କ ମଙ୍ଗଳ କାମନା କରି ଆଶୀର୍ବଚନ ରଖିଥିଲେ। ଅନ୍ୟତମ ଅତିଥି ବ୍ରଜେନ୍ଦ୍ର ହାଇସ୍କୁଲର ହେଡମାଷ୍ଟର ଉମାକାନ୍ତ ସେଠୀ ଏହି ଗୁରୁ ପୂଜନ କାର୍ଯ୍ୟକ୍ରମର ଉଚ୍ଚ ପ୍ରଶଂସା କରିଥିଲେ। ନୟାଗଡ଼ ପୂଜ୍ୟପୂଜା ସମିତିର ପ୍ରମୁଖ ସମାଜସେବୀ ପ୍ରମୋଦ ପଟ୍ଟନାୟକ ହାଇଦ୍ରାବାଦରୁ ଏହି କାର୍ଯ୍ୟକ୍ରମ ପାଇଁ ଶୁଭେଚ୍ଛା ବାର୍ତ୍ତା ଜଣାଇଥିଲେ। ପ୍ରାକ୍ତନ ଛାତ୍ର ତଥା ବିଶିଷ୍ଟ କଳାକାର ପ୍ରଫୁଲ୍ଲ କୁମାର ଲେଙ୍କା ସ୍ଵତନ୍ତ୍ର ଭାବେ ଗୁରୁ ବନ୍ଦନା କରିଥିଲେ।
