ରାଜଧାନୀର ଏକ ଆପାର୍ଟମେଣ୍ଟରେ ଶିଶୁକନ୍ୟାକୁ ଭୁଜାଲିରେ ହାଣିଦେବାର ଭୟ ଦେଖାଇ ଦୁର୍ବୃତ୍ତମାନେ ମହିଳାଙ୍କୁ ଦୁଷ୍କର୍ମ କରିବା ପରେ ତାଙ୍କଠାରୁ ଗହଣା ଲୁଟି ଫେରାର୍ ହୋଇଯାଇଥିବା ୨ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ। ଗତକାଲି ରାତିରେ ଉଭୟଙ୍କୁ ବାନ୍ଧିଛି ପୁଲିସ।ଖବର ଅନୁଯାୟୀ, ଗତ ରବିବାର ରାତିରେ ମୈତ୍ରୀ ବିହାର ଅଞ୍ଚଳରେ ଥିବା ଏକ ଆପାର୍ଟମେଣ୍ଟରେ ଘଟିଥିଲା ଏହି ଘଟଣା । ଚୋରୀ କରିବା ପାଇଁ କିଛି ଲୁଟେରା ଆପାର୍ଟମେଣ୍ଟରେ ପଶିଥିଲେ । ଲୁଟ୍ ପରେ ମହିଳାଙ୍କୁ ଛୁରୀ ଦେଖାଇ ଦୁଷ୍କର୍ମ କରିଥିଲେ । ଏନେଇ ମହିଳା ଜଣଙ୍କ ମୈତ୍ରୀବିହାର ଥାନାରେ ଅଭିଯୋଗ କରିଥିଲେ । ତେବେ ଅସାବଧାନତାବଶତଃ ପୀଡ଼ିତା ବାଲ୍କୋନି କବାଟ ବନ୍ଦ କରିବାକୁ ଭୁଲିଯାଇଥିଲେ। ଏହାର ସୁଯୋଗ ନେଇ ଲୁଟେରାଦ୍ବୟ ବାଲ୍କୋନି ଦେଇ ଆପାର୍ଟମେଣ୍ଟର ପ୍ରଥମ ମହଲାରେ ଥିବା ମହିଳାଙ୍କ ଫ୍ଲାଟ୍ରେ ପଶିଥିଲେ। ଠିକ୍ ସେତିକିବେଳେ ପୀଡ଼ିତା ବାଥ୍ରୁମ୍କୁ ଯାଇଥିଲେ ଏବଂ ତାଙ୍କ ୨ବର୍ଷ ବୟସର ଶିଶୁକନ୍ୟା ଖଟରେ ଶୋଇଥିଲା। ମହିଳାଜଣକ ବାଥ୍ରୁମ୍ରେ ଥିବା ଜାଣିପାରି ଦୁର୍ବୃତ୍ତଦ୍ବୟ ଛକି ରହିଥିଲେ। ବାଥ୍ରୁମ୍ରୁ ସେ ବାହାରୁ ବାହାରୁ ଦୁର୍ବୃତ୍ତଦ୍ବୟ ତାଙ୍କ ବେକରେ ଭୁଜାଲି ଲଗାଇ ଚୁପ୍ ରହିବାକୁ ନିର୍ଦ୍ଦେଶ ଦେଇଥିଲେ। ଏତିକିବେଳେ ଶିଶୁକନ୍ୟାଟି ନିଦରୁ ଉଠି କାନ୍ଦିବାକୁ ଲାଗିଥିଲା। ଜଣେ ଦୁର୍ବୃତ୍ତ ଶିଶୁକନ୍ୟାକୁ ଉଠାଇ ତା’ ବେକରେ ଭୁଜାଲି ଲଗାଇଦେଲା। ତଥାପି ଶିଶୁକନ୍ୟାଟିର କାନ୍ଦ ବନ୍ଦ ନ ହେବାରୁ ଦୁର୍ବୃତ୍ତଜଣକ ଖଟରେ ଥିବା ମହିଳାଙ୍କ ମୋବାଇଲ୍ ଖୋଲି ଶିଶୁକନ୍ୟାର ହାତରେ ଧରାଇଦେଲା। ଏହାପରେ ସେମାନେ ମହିଳାଙ୍କୁ ଧମକ ଦେଲେ। ପାଟି କରିବାକୁ ଉଦ୍ୟମ କଲେ, ଶିଶୁକନ୍ୟାକୁ ହାଣିଦେବେ ବୋଲି କହିଲେ। ତଥାପି ଭୟରେ ମହିଳା ସେମାନଙ୍କୁ ‘ଯାହା ଅଛି ସବୁ ନେଇଯାଅ ଏବଂ ଆମ ମା’ ଝିଅଙ୍କୁ ଛାଡ଼ିଦିଅ’ ବୋଲି କାକୁତିମିନତି ହେଲେ। କିନ୍ତୁ ଲୁଟେରାଦ୍ବୟ ତାଙ୍କ କଥାକୁ କର୍ଣ୍ଣପାତ ନକରି ତାଙ୍କୁ ଦୁଷ୍କର୍ମ କଲେ। ଏହାପରେ ସେମାନେ ମହିଳାଙ୍କ କାନଫୁଲ ଖୋଲି ନେଇଗଲେ।