ଶୁଖିଗଲାଣି ଶ୍ରୀମନ୍ଦିର ରୋଷଘର ଗଙ୍ଗା ଓ ଯମୁନା କୂଅ।

ଶୁଖିଗଲାଣି ଶ୍ରୀମନ୍ଦିର ରୋଷଘର ଗଙ୍ଗା ଓ ଯମୁନା କୂଅ। ବୋରିଂ ପାଣିରେ ରୋଷେଇ ହେଉଛି ମହାପ୍ରସାଦ।ଶ୍ରୀମନ୍ଦିର ରୋଷଘରେ ମହାପ୍ରସାଦ ପ୍ରସ୍ତୁତି ଶୈଳୀ ଓ ସ୍ବାଦ ସଂପୂର୍ଣ୍ଣ ଭିନ୍ନ। ଏଠାରେ ନିଜେ ମହାଲକ୍ଷ୍ମୀ ମହାପ୍ରଭୁଙ୍କ ପାଇଁ ଭୋଜନ ପ୍ରସ୍ତୁତ କରିଥାନ୍ତି ବୋଲି ବିଶ୍ବାସ ରହିଛି। ରୋଷଘରର ରନ୍ଧନ ପ୍ରଣାଳୀଠାରୁ ଆରମ୍ଭ କରି ଚୁଲା ଓ ଅନ୍ୟାନ୍ୟ ବ୍ୟବସ୍ଥା ନିଆରା। ମାଟିପାତ୍ରରେ ଏଠାରେ ମହାପ୍ରସାଦ ପ୍ରସ୍ତୁତ ହୋଇଥାଏ। ଚୁଲିରେ କାଠ ଜାଳି ଏହା ପ୍ରସ୍ତୁତ ହୋଇଥାଏ। ପଦ୍ମପାଖୁଡ଼ା ଭଳି ଚୁଲାରେ ଏକକାଳୀନ ୯ଟି କୁଡ଼ୁଆରେ ମହାପ୍ରସାଦ, ଡାଲି, ଡାଲମା, ବେସର ଆଦି ପ୍ରସ୍ତୁତ କରାଯାଇଥାଏ। ମହାପ୍ରସାଦ ବିଶୁଦ୍ଧ ଜଳରେ ପ୍ରସ୍ତୁତ ହୋଇଥାଏ। ଏଣୁ ମହାପ୍ରସାଦ ପ୍ରସ୍ତୁତ ପାଇଁ ରାଜରାଜୁଡ଼ା ଅମଳରୁ ରୋଷଘର ପରିସରରେ ଥିବା ଗଙ୍ଗା ଓ ଯମୁନା କୂଅର ପବିତ୍ର ଓ ବିଶୁଦ୍ଧ ଜଳକୁ ମହାପ୍ରସାଦ ପ୍ରସ୍ତୁତି ପାଇଁ ବ୍ୟବହାର କରାଯାଇଥାଏ। ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗ ପୂର୍ବତନ ସହସଂପାଦକ ନାରାୟଣ ମହାପାତ୍ର କହିଛନ୍ତି, ଗଙ୍ଗା ଓ ଯମୁନା କୂଅ ଜଳରୁ ମହାପ୍ରସାଦ ପ୍ରସ୍ତୁତି କରିବାର ବିଧି ରହିଛି। ଅନ୍ୟ କେଉଁଠୁ ଜଳ ଆଣି ମହାପ୍ରସାଦ ପ୍ରସ୍ତୁତି ପରମ୍ପରା ବିରୋଧୀ। କିନ୍ତୁ ପ୍ରାୟ ୫ ବର୍ଷ ହେବ ଗଙ୍ଗା ଓ ଯମୁନା କୂଅ ଶୁଖିଲା ପଡ଼ିଛି। ଏହାର ପୁନରୁଦ୍ଧାର କରାଯାଉନି। ପ୍ରତିବଦଳରେ ଏହା ପାଖରେ ବୋରିଂ ବସାଇ ପାଣି ବ୍ୟବହାର କରାଯାଉଛି। ବୋରିଂ ପାଣି କୂଅରେ ଭର୍ତ୍ତି କରିବା ପରେ ଗରା, ବାଲ୍‌ତି ଜରିଆରେ ଏହି ପାଣିକୁ ସୁପକାରମାନେ କାଢ଼ି ମହାପ୍ରସାଦରେ ବ୍ୟବହାର କରୁଛନ୍ତି।

ଅଧିକ ପଢନ୍ତୁ