ଶୁଭାଂଶୁଙ୍କ ସଫଳ ଅବତରଣ ପାଇଁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପୂରା ଟିମକୁ ମୋଦୀ ଜଣାଇଲେ ଅଭିନନ୍ଦନ । କହିଲେ, ଶୁଭାଂଶୁଙ୍କ ପାଇଁ ଦେଶ ଗର୍ବିତ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଭାରତୀୟ ମହାକାଶଚାରୀ ଗ୍ରୁପ୍ କ୍ୟାପଟେନ୍ ଶୁଭାଂଶୁ ଶୁକ୍ଳାଙ୍କର ଐତିହାସିକ ମହାକାଶ ଯାତ୍ରାକୁ ଭୂୟସୀ ପ୍ରଶଂସା କରିଛନ୍ତି । ସୂଚନାମୁତାବକ ମହାକାଶରେ ୨୦ ଦିନ ଓ ଇଣ୍ଟରନ୍ୟାସନାଲ୍ ସ୍ପେସ୍ ଷ୍ଟେସନରେ ୧୮ ଦିନ ରହଣି ପରେ ପୃଥିବୀକୁ ଫେରିଛନ୍ତି ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଲା । କାଲିଫର୍ଣ୍ଣିଆର ଉପକୂଳରେ ଡ୍ରାଗନ୍ ସ୍ପେସ୍ କ୍ୟାପସୁଲ ସଫଳ ଅବତରଣ କରିଛି । ଶୁଭାଂଶୁ ଶୁକ୍ଲାଙ୍କ ଯାନ (ଗ୍ରେସ୍) ସୋମବାର ସଂଧ୍ୟା ପ୍ରାୟ ୪.୪୫ ମିନିଟରେ ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ ଛାଡ଼ିଥିଲା । ପୃଥିବୀକୁ ଫେରିବାକୁ ତାଙ୍କୁ ପ୍ରାୟ ୨୨ ଘଣ୍ଟା ସମୟ ଲାଗିଥିଲା । ଶୁଭାଂଶୁ ଓ କ୍ରୁର ଅନ୍ୟ ସଦସ୍ୟଙ୍କ ସଫଳ ଅବତରଣ ପରେ ସବୁଠି ଖୁସିର ଲହରୀ ଖେଳିଯାଇଛି । ତେବେ ପ୍ରଧାନମନ୍ତ୍ରୀ ମୋଦୀ ଏହି ଯାତ୍ରାକୁ ଭାରତର ଗଗନଯାନ ମିସନର ସଫଳତାର ପ୍ରଥମ ଅଧ୍ୟାୟ ବୋଲି ବର୍ଣ୍ଣନା କରିଛନ୍ତି । ସେ କହିଛନ୍ତି, “ଆମକୁ ମିସନ ଗଗନଯାନକୁ ଆଗକୁ ନେବାକୁ ହେବ, ଆମକୁ ନିଜସ୍ୱ ମହାକାଶ କେନ୍ଦ୍ର ନିର୍ମାଣ କରିବାକୁ ହେବ ଏବଂ ଭାରତୀୟ ମହାକାଶଚାରୀମାନଙ୍କୁ ଚନ୍ଦ୍ରରେ ଅବତରଣ କରିବାକୁ ହେବ ।
