ପୁରୀ ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ୨ୟ ସମୀକ୍ଷା ବୈଠକ ଆଜି ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି । ରଥଯାତ୍ରାରେ ଯେଉଁ ଯେଉଁ କ୍ଷେତ୍ରରେ ବିଭ୍ରାଟ ଦେଖାଯାଉଛି ତାର ଯଥାସମ୍ଭବ ସମାଧାନ କରିବାକୁ ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଏବଂ ଏସ୍ପି ପ୍ରତୀକ ସିଂହ ଏକ ମାଷ୍ଟରପ୍ଲାନ ପ୍ରସ୍ତୁତ କରିଛନ୍ତି । ଜନସାଧାରଣଙ୍କ ସୁରକ୍ଷା ଓ ନିରାପତ୍ତାକୁ ଗୁରୁତ୍ବ ଦେଇ ଚଳିତବର୍ଷ ରଥଯାତ୍ରାରେ ଏହାକୁ ଲାଗୁ କରିବାକୁ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ନିଷ୍ପତ୍ତି ହୋଇଛି । ଚଳିତ ବର୍ଷ ଶ୍ରୀଗୁଣ୍ଡିଚା ଆଗାମୀ ଜୁଲାଇ ୧୬ ତାରିଖରେ, ବାହୁଡ଼ା ଯାତ୍ରା ଜୁଲାଇ ୨୪, ସୁନାବେଶ ଜୁଲାଇ ୨୫ ଏବଂ ନୀଳାଦ୍ରି ବିଜେ ଜୁଲାଇ ୨୭ରେ ଅନୁଷ୍ଠିତ ହେବ । ଏହା ପୂର୍ବରୁ ଅକ୍ଷୟ ତୃତୀୟା, ସ୍ନାନଯାତ୍ରା ଆଦି ନୀତି ରହିଛି । ରଥ ନିର୍ମାଣ ଲାଗି ରଥ କାଠ ସୁବିଧା କରାଯାଇଛି । ରଥଯାତ୍ରା ପରିପ୍ରେକ୍ଷୀରେ ଆବଶ୍ୟକ ରଥ କାଠ ସଂଗ୍ରହ ପ୍ରକ୍ରିୟା ସୁରୁଖୁରୁରେ ଚାଲିଥିବା ଏବଂ ରଥଯାତ୍ରା ନେଇ ଆନୁଷଙ୍ଗିକ ପ୍ରସ୍ତୁତି ଜାରି ରହିଥିବା ସମ୍ପର୍କରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ସୂଚନା ଦେଇଥିଲେ । ଶ୍ରୀଗୁଣ୍ଡିଚା ଓ ବାହୁଡ଼ା ପାଇଁ ୨ଟି ଅଲଗା ଅଲଗା ଚାରମାଳ ବ୍ୟବସ୍ଥା କରାଯାଉଥିବା ସଂପର୍କରେ ସେ ସୂଚନା ଦେଇଥିଲେ । ବୈଠକରେ ରଥଟଣା ଠିକ୍ ସମୟରେ ଆରମ୍ଭ ହେବା ପାଇଁ ଶ୍ରୀଜିଉଙ୍କ ନୀତି ନିର୍ଦ୍ଧାରିତ ସମୟରେ ସରିବା ଠାରୁ ଆରମ୍ଭ କରି ବଡ଼ଦାଣ୍ଡରେ ଜନଗହଳି ନିୟନ୍ତ୍ରଣ, ପୁରୀ ଓ ପାରିପାର୍ଶ୍ୱିକ ଅଞ୍ଚଳରେ ପାର୍କିଂ ବ୍ୟବସ୍ଥା, ସ୍ୱାସ୍ଥ୍ୟ ସେବା, ଜରୁରିକାଳୀନ ସେବା, ପରିମଳ ବ୍ୟବସ୍ଥା ଆଦି ସଂପର୍କରେ ଆଲୋଚନା କରାଯାଇଥିଲା । ଚଳିତ ବର୍ଷ ଜନ ଗହଳି ଓ ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ରଥଯାତ୍ରାର ବହୁ ପୂର୍ବରୁ ବଡ଼ଦାଣ୍ଡ ସମେତ ଉତ୍ତରା ଛକରୁ ବଡ଼ଦାଣ୍ଡ ପର୍ଯ୍ୟନ୍ତ ଯଥେଷ୍ଟ ସଂଖ୍ୟକ ସିସିଟିଭି ଖଞ୍ଜିବାକୁ ଡିଜିପି ବ୍ୟବସ୍ଥା କରିବା ଲାଗି ବୈଠକରେ ପରାମର୍ଶ ଦେଇଥିଲେ । ଭାରତୀୟ ରେଳପଥ ତରଫରୁ ପୁରୀ ଷ୍ଟେସନରେ ସୁବିଧାରେ ଟିକେଟ କାଉଣ୍ଟର ପରିଚାଳନା ଓ ଏକାଧିକ ସ୍ଥାନରେ ଟିକେଟ ଉପଲବ୍ଧ ହେବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ଏବଂ ଅନ୍ଲାଇନ୍ ଟିକେଟ୍ ଉପଲବ୍ଧ ନେଇ ଆଲୋଚନା କରାଯାଇଥିଲା । ଜନଗହଳି ନିୟନ୍ତ୍ରଣ ପାଇଁ ବିଭିନ୍ନ ସ୍ଥାନରେ ଅସ୍ଥାୟୀ ପାର୍କିଂ ସ୍ଥଳ ନିର୍ମାଣ କରିବାକୁ ପ୍ରସ୍ତାବ ଦିଆଯାଇଛି । ବଡ଼ଦାଣ୍ଡକୁ ଉଜ୍ଜ୍ୱଳ ଆଲୋକରେ ଆଲୋକିତ କରିବା ପାଇଁ ୫୦ଟି ହାଇମାଷ୍ଟ ଲାଇଟ୍ ଲାଗିବା ବ୍ୟବସ୍ଥା କରାଯିବ । ଅତ୍ୟଧିକ ବର୍ଷା ହେଲେ ଜଳ ନିଷ୍କାସନ ସମସ୍ୟାର ସମାଧାନ ପାଇଁ ନଗର ଉନ୍ନୟନ ବିଭାଗ ଏବଂ ଅଗ୍ନିଶମ ବିଭାଗ ସହ ଆଲୋଚନା ହୋଇଛି ।
