ମୁହଁ ଖୋଲିଲେ ପାକିସ୍ତାନୀ ଜାସୁସ ଜ୍ୟୋତି ମାଲହୋତ୍ରାଙ୍କ ସହ ସମ୍ପର୍କ ଥିବା ୟୁଟ୍ୟୁବର ପ୍ରିୟଙ୍କା ସେନାପତି । ସୋସିଆଲ ମିଡିଆରେ ପ୍ରତିକ୍ରିୟା ରଖି ଦେଶଦ୍ରୋହ ପ୍ରସଙ୍ଗରେ କୌଣସି ସମ୍ପର୍କ ନାହିଁ ବୋଲି ସ୍ପଷ୍ଟୀକରଣ ରଖିଛନ୍ତି । ଟିଆରପି ପାଇଁ ମିଡିଆ ତାଙ୍କ ନାଁରେ ମିଛ ଦେଖାଇଥିବା କଥା କହି ପ୍ରତି କଥାରେ ଗଣମାଧ୍ୟମ ଉପରେ ଦୋଷ ଲଦିଛନ୍ତି ପ୍ରିୟଙ୍କା । ତଦନ୍ତ ଚାଲୁଥିବାରୁ ଦୁଇ ମାସ ହେବ ମୁଁ ଚୁପ ଥିଲି । କିନ୍ତୁ ସେତେବେଳେ ମିଡିଆ ଟିଆରପି ପାଇଁ ମୋ ବାବାଦରେ ମିଛ ଦେଖାଇଥିଲେ । ମିଡିଆ ମିଛ ଦେଖାଇ କାହାର ବି ଜୀବନ ବର୍ବାଦ କରିଦିଏ ବୋଲି ପ୍ରିୟଙ୍କା କହିବା ସହ କର୍ତ୍ତାରପୁର ଜ୍ୟୋତି ସହ ନୁହେଁ ବରଂ ଅନ୍ୟ ଜଣେ ସାଙ୍ଗ ସହ ଯାଇଥିଲେ ବୋଲି କହିଛନ୍ତି । ମାତ୍ର ମିଡିଆରେ ଜ୍ୟୋତି ସହ ଯାଇଥିବା ଖବର ବାଜିଲା । ମିଡିଆର ଏମିତି ଖବର ପରେ ମତେ କମେଣ୍ଟରେ ଲୋକେ ରେପ ପାଇଁ ଧମକ ଦେଇଥିଲେ, ଘର ଜାଳି ଦେବାକୁ ଧମକ ଦେଇଥିଲେ । ମୁଁ ଡିପ୍ରେସନରେ ଥିଲି । ଇନଷ୍ଟାଗ୍ରାମ୍ ଓ ୟୁଟ୍ୟୁବରୁ ଜ୍ୟୋତିଙ୍କ ସହ ସମ୍ପର୍କ ହୋଇଥିଲା । ସେ ଏକ କମ୍ପାନୀର ପ୍ରମୋସନ୍ ପାଇଁ ପୁରୀ ଆସିଥିବା ବେଳେ ଘନିଷ୍ଠତା ବଢିଥିଲା । ଯେହେତୁ ମୁଁ ପୁରୀ ଝିଅ, ତାଙ୍କ ସହିତ ଜଗନ୍ନାଥ ମନ୍ଦିର, କୋଣାର୍କ ମନ୍ଦିର ଓ ଚିଲିକା ଯାଇଥିଲି । ମୋ ପାଇଁ କେହି ଟଙ୍କାଟିଏ ଖର୍ଚ୍ଚ କରିନାହାନ୍ତି, କିନ୍ତୁ ମିଡିଆ ମୋ ବିନା ଅନୁମତିରେ ମୋ ଫଟୋ ନେଇ ନ୍ୟୁଜ ଦେଖାଉଥିଲେ ବୋଲି ଅଭିଯୋଗ କରିଛନ୍ତି ପ୍ରିୟଙ୍କା ସେନାପତି ।
