ଶେଷ ହେଲା ପ୍ରଶିକ୍ଷଣ, ୧୬ ରୁ ଘରକୁ ଘର ବୁଲିବେ ଜନଗଣନାକାରୀ

ନୟାଗଡ଼,(ଓଡ଼ିଶା ଦର୍ପଣ): ତିନିଦିନ ଧରି ଚାଲିଥିବା ଭାରତର ଜନଗଣନା-୨୦୨୭ କାର୍ଯ୍ୟକ୍ରମ ଅନ୍ତର୍ଗତ ନୟାଗଡ଼ ମୁନିସିପାଲିଟି ଅଞ୍ଚଳରେ ଗୃହ ତାଲିକା ଏବଂ ଗୃହ ଗଣନା ପାଇଁ ଉଦ୍ଦିଷ୍ଟ ପ୍ରଶିକ୍ଷଣ ଶିବିର ଆଜି ଉଦଯାପିତ ହୋଇଯାଇଛି। ମୁନିସିପାଲିଟି କାର୍ଯ୍ୟାଳୟ ସଭାଗୃହରେ  ଚାଲିଥିବା ଏହି ପ୍ରଶିକ୍ଷଣ ଶିବିରରେ ୮୪ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦାନ କରିଥିବା ବେଳେ ସେମାନେ ଚଳିତ ମାସ ୧୬ ତାରିଖରୁ ଘରକୁ ଘର ବୁଲି ଜନଗଣନା କାର୍ଯ୍ୟ ପାଇଁ ଉଦ୍ଦିଷ୍ଟ ଗୃହ ଗଣନା ଏବଂ ଗୃହତାଲିକା ସହିତ ଏ ସଂକ୍ରାନ୍ତ୍ରରେ  ତଥ୍ୟ ସଂଗ୍ରହ କରିବେ।

ଆଜି ଅନୁଷ୍ଠିତ ଏହି ଉଦଯାପନୀ ସଭାରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଯୋଗଦାନ କରି ଜନଗଣନା କାର୍ଯ୍ୟର ମହତ୍ୱ ତଥା ଏହାଦ୍ୱାରା ସରକାର ଦେଶର ବିକାଶ ଓ ପ୍ରଶାସନ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଆଧାର ହୋଇଥାଏ ବୋଲି କହିଥିଲେ । ଏହା ଦ୍ୱାରା ସରକାରଙ୍କୁ ଯୋଜନା ପ୍ରଣୟନ,ନିର୍ବାଚନ ମଣ୍ଡଳୀର ପୁନଃନିର୍ଦ୍ଧାରଣ,ସାମାଜିକ ଓ ଆର୍ଥିକ ସ୍ଥିତିର ଆକଳନ,ସଂରକ୍ଷଣ ଓ ଅଧିକାର ସମ୍ପର୍କରେ ନୀତିଗତ ନିଷ୍ପତ୍ତି ନେବାରେ ସହାୟକ ହୋଇଥାଏ ବୋଲି ଡ. ସାହୁ ମତବ୍ୟକ୍ତ କରିଥିଲେ। ଏହା ସହିତ ପ୍ରଶିକ୍ଷାର୍ଥୀ ମାନଙ୍କୁ ବିଧାୟକ ଡ. ସାହୁ ଜନଗଣନା ସମ୍ପର୍କିତ କିଛି ପ୍ରଶ୍ନ ପଚାରିଥିଲେ।

ମୁନିସିପାଲିଟି କାର୍ଯ୍ୟନିର୍ବାହୀ ଅଧିକାରିଣୀ ସ୍ନେହଲତା ଆଚାର୍ଯ୍ୟଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି ଉଦଯାପନୀ ସଭାରେ ପ୍ରଶିକ୍ଷକ ସିଆରସିସି ପ୍ରଦୀପ୍ତ କୁମାର ପଣ୍ଡା ଏବଂ ବ୍ରଜକିଶୋର ମହାପାତ୍ର ଉପସ୍ଥିତ ଥିଲେ। ଗତ ତିନିଦିନ ଧରି ସୁରୁଖୁରୁରେ ଚାଲିଥିବା ପ୍ରଶିକ୍ଷଣ ଶିବିରକୁ ମୁନିସିପାଲିଟି ପକ୍ଷରୁ ବରିଷ୍ଠ କିରାଣୀ ଦିଗାମ୍ବର ପ୍ରଧାନ, ଶିଶିର କୁମାର ମହାପାତ୍ର ଏବଂ ଗଜେନ୍ଦ୍ର କୁମାର ମହାରଣା ପ୍ରମୁଖ ସହଯୋଗ କରିଥିବା ବେଳେ କାର୍ଯ୍ୟନିର୍ବାହୀ ଅଧିକାରିଣୀ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ।

ଅଧିକ ପଢନ୍ତୁ