ନୟାଗଡ଼ ହାଉସିଂ ବୋର୍ଡ ନିକଟ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ବିଦ୍ଯାଳୟର ଉନବିଂଶ ବାର୍ଷିକ ଉତ୍ସବ ବିଦ୍ଯାଳୟର ପ୍ରତିଷ୍ଠାତା ସଂପାଦକ ଶ୍ରୀଧର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇ ଯାଇଛି। ପ୍ରଥମ ଦିବସରେ ସ୍ବାମୀ ବିବେକାନନ୍ଦ ଜୟନ୍ତୀ ଶୋଭାଯାତ୍ରା, ରକ୍ତଦାନ ଶିବିର,ସ୍ବାସ୍ଥ୍ଯ ପରାମର୍ଶ ଶିବିର ଓ ଧର୍ମ ଆଲୋଚନା ସଭା ହୋଇଥିବା ବେଳେ ଦ୍ବିତୀୟ ଦିବସରେ ବିଦ୍ଯାଳୟର ଉନବିଂଶ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ନୟାଗଡ଼ର ମାନ୍ୟବର ବିଧାୟକ ଡ. ଅରୁଣ କୁମାର ସାହୁ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ଯକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ନୟାଗଡ଼ ପଞ୍ଚାୟତ ସମିତି ଅଧ୍ଯକ୍ଷ କିଶୋର ଚନ୍ଦ୍ର ସାହୁ, ମୁଥାଗାଡିଆ ସରପଞ୍ଚ ସୁଶାନ୍ତ କୁମାର ପ୍ରଧାନ ଓ ସମିତି ସଭ୍ଯ ଦିଲ୍ଲୀପ କୁମାର ହାତୀ ଯୋଗ ଦେଇଥିଲେ। ବିଦ୍ଯାଳୟର ଉପଦେଷ୍ଟା ଶିକ୍ଷାବିତ୍ ହରିହର ପାତ୍ରଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇ ଥିଲା।
ସଂପାଦକ ଶ୍ରୀଯୁକ୍ତ ସାହୁ ସଂପାଦକୀୟ ବିବରଣୀରେ ବିଦ୍ଯାଳୟ ଛାତ୍ରଛାତ୍ରୀ ମାନଙ୍କ ସଫଳତା, ବିଦ୍ଯାଳୟ ଭବନ ନିର୍ମାଣ କାହାଣୀ ବର୍ଣ୍ଣନା କରିବା ସହିତ ବିଦ୍ଯାଳୟ ପାଇଁ ସାଢେ ତିନି ଏକର ଜମି କ୍ରୟ ହୋଇଥିବା ବିଷୟରେ ସୂଚନା ଦେଇଥିଲେ। ଛାତ୍ରଛାତ୍ରୀ ମାନେ ଉତ୍ତମ ମଣିଷ ହୋଇ ଯୁଗନିର୍ମାଣରେ ବ୍ରତୀ ହେବା ସହ ସମାଜସେବା କ୍ଷେତ୍ରରେ ଅଗ୍ରଣୀ ଭୂମିକା ନିର୍ବାହ କରନ୍ତୁ ବୋଲି ଅତିଥି ମାନେ ପରାମର୍ଶ ଦେବା ସହିତ ଛାତ୍ରଛାତ୍ରୀମାନେ କିପରି ମାନସିକ,ବୌଦ୍ଧିକ ,ଆଧ୍ୟାତ୍ମିକ ଓ ଶାରୀରିକ କ୍ଷେତ୍ରରେ ସୁସଙ୍ଗଠିତ ହୋଇ ଦେଶସେବାରେ ବ୍ରତୀ ହେବେ ଓ ଦେଶର ଏକତା ଅଖଣ୍ଡତାକୁ ବଜାୟ ରଖିବେ ସେଥିପାଇଁ ପରାମର୍ଶ ଦେଇଥିଲେ ।
ଏହି ଅବସରରେ ୩ୟ ଓ ୫ମ ଶ୍ରେଣୀ ମେଧାବୃତ୍ତି ପରୀକ୍ଷା,ମାଟ୍ରିକ ପରୀକ୍ଷା , ପଠାଣି ସାମନ୍ତ ମେଧାବୃତ୍ତି ପରୀକ୍ଷା ତଥା ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ଏହା ସହିତ ସମାଜସେବୀ ଗୋଦାବରୀଶ ସାହୁ, ଡାକ୍ତର ଉମେଶ ଚନ୍ଦ୍ର ମିଶ୍ର,ସଂଜୟ କୁମାର ପ୍ରଧାନ ଓ ରାମଚନ୍ଦ୍ର ମହାପାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପରିଶେଷରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟା ପ୍ରିୟମ୍ବଦା ମହାପାତ୍ର ଧନ୍ଯବାଦ ଅର୍ପଣ କରିଥିଲେ। ଏବଂ ଛାତ୍ରଛାତ୍ରୀଙ୍କ ଦ୍ୱାରା ମନୋରମ ସାଂସ୍କୃତିକ କାର୍ଯ୍ୟକ୍ରମମାନ ପରିବେଷଣ କରାଯାଇଥିଲା।