ପୁରୀର ପ୍ରସିଦ୍ଧ ପ୍ରଭୁ ଶ୍ରୀ ଲୋକନାଥ ଦେବଙ୍କ ମନ୍ଦିରରେ ପଙ୍କୋଦ୍ଧାର ଏକାଦଶୀ ନୀତି ଅନୁଷ୍ଠିତ ହୋଇଛି । ବର୍ଷର ଏହି ଗୋଟିଏ ଦିନ ପ୍ରଭୁ ଶ୍ରୀ ଲୋକନାଥଙ୍କ ଗମ୍ଭୀରା ଭିତରକୁ ଯାଇ ଭକ୍ତ ଓ ଶ୍ରଦ୍ଧାଳୁ ଦର୍ଶନ କରିଥାନ୍ତି । ରାତ୍ର ୧୨ଟାରୁ ଦ୍ୱାର ଫିଟାଯାଇ ଭୋର ୪ଟାରୁ ପଙ୍କୋଦ୍ଧାର କରାଯାଇଛି । ଆଜିଠାରୁ ମହାଶିବରାତ୍ରି ଯାଏଁ ୩ ଦିନ ଧରି ଜଳିବ ଜଗତମଙ୍ଗଳ ଦୀପ ।ମନ୍ଦିର ଗମ୍ଭୀରାରେ ବର୍ଷ ତମାମ ଭକ୍ତ ମାନଙ୍କ ଦ୍ୱାରା ଅର୍ପଣ କରାଯାଇଥିବା ବେଲପତ୍ର, ପୁଷ୍ପ, ଫଳ, ସୁନା, ରୂପା ଓ ନୈବେଦ୍ୟକୁ କଢାଯିବ। ପ୍ରାୟ ଏକବର୍ଷ ପରେ ଆଜି ଗୋଟିଏ ଦିନରେ ହିଁ ପ୍ରଭୁ ଶ୍ରୀ ଲୋକନାଥଦେବଙ୍କ ସମ୍ପୁର୍ଣ୍ଣ ଲିଙ୍ଗ ଦର୍ଶନ କରିବାର ସୌଭାଗ୍ୟ ମିଳିଥାଏ ଭକ୍ତଙ୍କୁ। ପ୍ରଖ୍ୟାତ ଦେବ ଭାବେ ପରିଚିତ ପ୍ରଭୁ ଶ୍ରୀ ଲୋକନାଥ ଦେବଙ୍କ ପ୍ରତିଷ୍ଠା ପ୍ରଭୁ ଶ୍ରୀରାମଚନ୍ଦ୍ର କରିଥିବାର କିମ୍ୱଦନ୍ତୀରୁ ଜଣାଯାଏ। ତେବେ ଆଜିଠାରୁ ମହାଶିବରାତ୍ରୀ ଯାଏଁ ୩ ଦିନ ଧରି ଜଳି ରହିବ ଜଗତମଙ୍ଗଳ ଦୀପ l ଏଥିସହ ସୁରକ୍ଷାକୁ ଦୃଷ୍ଟିରେ ରଖି ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାରିକେଟ ବ୍ୟବସ୍ଥା କରାଯାଇଛି l ତେବେ ଗତକାଲି ରାତ୍ର ୧୨ଟା ୩୦ରେ ଦ୍ବାର ଖୋଲା, ୧ ଟା ୧୫ ରେ ମଙ୍ଗଳଆଳତି ଓ ଅବକାଶ, ରାତ୍ର ୧ ଟା ୪୫ ରୁ ୩ ଟା ମଧ୍ୟରେ ସକାଳଧୂପ ଓ ମଧ୍ୟାହ୍ନଧୂପ ପରେ ଭୋର ୪ଟା ରୁ ସକାଳ ୮ ପର୍ଯ୍ୟନ୍ତ ପଙ୍କୋଦ୍ଧାର କରାଯାଇ ମାଘ ସ୍ନାନ ନୀତି ଅନୁଷ୍ଠିତ ହୋଇଛି। ଦିନ ୧୨ ଟା ରୁ ରାତ୍ର ୧୦ ଟା ଯାଏଁ ସର୍ବସାଧାରଣ ଦର୍ଶନ ହେବାପରେ ଅନ୍ୟାନ୍ୟ ନୀତି ଅନୁଷ୍ଠିତ ହୋଇ ବଡ଼ସିଂହାର ବେଶ କରାଯିବ ବୋଲି କହିଛନ୍ତି ସେବାୟତ।
