ଓଡ଼ିଶା ଡ୍ରାଇଭର ଓ ଏକତା ମଞ୍ଚ ପକ୍ଷରୁ ଆସନ୍ତା ଜୁଲାଇ ୮ ତାରିଖରୁ ରାଜ୍ୟବ୍ୟାପୀ ଷ୍ଟିୟରିଂ ଛାଡ଼ ଆନ୍ଦୋଳନର ଡାକରା ଦିଆଯାଇଛି। ୬ ଦଫା ଦାବି ପୂରଣ ନେଇ ଏହି ଆନ୍ଦୋଳନ ଆହ୍ୱାନ କରାଯାଇଛି। ତେବେ ୬ ଦଫା ଦାବି ଗୁଡ଼ିକ ହେଲା, ଓଡିଶା ମୋଟର ଟ୍ରାନ୍ସପୋର୍ଟ ଡ୍ରାଇଭର ଏବଂ ୱାର୍କର୍ ୱେଲଫେୟାର ବୋର୍ଡରେ ଅଟୋ ଡ୍ରାଇଭରକୁ ସାମିଲ। ଜନ ସାଧାରଣଙ୍କ ଆକ୍ରୋଶରେ ଶିକାର ହେଉଥିବା ଡ୍ରାଇଭର ସମାଜର ସୁରକ୍ଷା ପାଇଁ ଏକ ସ୍ବତନ୍ତ୍ର ଆଇନ ତିଆରି କରାଯାଉ। ବୃତ୍ତିଗତ ଡ୍ରାଇଭରଙ୍କୁ ୬୦ ବର୍ଷ ବୟସ ପରେ ସ୍ବତନ୍ତ୍ର ଭତ୍ତା ପ୍ରଦାନ କରାଯାଉ ।ପ୍ରତି ୧୦୦ କିଲୋମିଟର ଅନ୍ତରାଳରେ ଗାଡ଼ି ପାକିଂ ଏବଂ ଡ୍ରାଇଭରମାନଙ୍କ ବିଶ୍ରାମ ନେବାପାଇଁ ବିଶ୍ରାମଗାର ଏବଂ ଶୌଚାଳୟ ବ୍ୟବସ୍ଥା। ଓଡ଼ିଶାରେ ଥିବା ପ୍ରତ୍ୟକ ଖଣି ଖାଦାନ ଏବଂ କାରଖାନା ଗୁଡ଼ିକରେ ଶତକଡ଼ା ୭୦% ଓଡ଼ିଶାର ଡ୍ରାଇଭରଙ୍କୁ କାମ ଦେବା।ସାମ୍ବାଦିକ ସମ୍ମିଳନୀରେ ସଂଘ ପକ୍ଷରୁ ଆହୁରି କୁହାଯାଇଛି ଯେ, ଲୋକଙ୍କ ସରକାର କହି ଡିଣ୍ଡିମ ପିଟୁଥିବାବେଳେ ଏବେ ଡ୍ରାଇଭର ସଂଘକୁ ସରକାର ଅଣଦେଖା କରୁଛନ୍ତି। ପୂର୍ବରୁ ବିଜେଡି ସରକାରରେ ମୃତ୍ୟୁକାଳୀନ ସହାୟତା ୨ ଲକ୍ଷ ଓ ଦୃଘଟଣାଜନିତ ମୃତ୍ୟୁ ପାଇଁ ୪ ଲକ୍ଷ ଘୋଷଣା କରିଥିଲେ। ଯାହା କିଛି ମାତ୍ରାରେ ସୁଫଳ ଦେଉଛି।
