ମଧ୍ୟପ୍ରଦେଶର ରତଲାମରେ ଚଳନ୍ତା ଟ୍ରେନ୍ରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଟ୍ରେନର ବାଥରୁମରେ ଜଣେ ବିଚାରପତିଙ୍କ ପତ୍ନୀ ପ୍ରାଣ ହରାଇଛନ୍ତି ।ଷ୍ଟେସନରେ ମହିଳାଙ୍କ ପତି ତଥା ବିଚାରପତି ଅପେକ୍ଷା କରିଥିଲେ । ହେଲେ ତାଙ୍କୁ ପତ୍ନୀଙ୍କ ମୃତ୍ୟୁ ଖବର ମିଳିଥିଲା । ଦୀର୍ଘ ସମୟ ଧରି ଅପେକ୍ଷା କରି ରହିବା ପରେ ହିଁ ପତ୍ନୀ ଆଉ ଦୁନିଆରେ ନଥିବା ସେ ଜାଣିବାକୁ ପାଇଥିଲେ ।ସୂଚନାଯୋଗ୍ୟ, ରାଜସ୍ଥାନର ନିମ୍ବହେଡ଼ାରେ ଅତିରିକ୍ତ ଜିଲ୍ଲା ଓ ସେସନ୍ସ କୋର୍ଟ ବିଚାରପତି ଥିବା ରାଜକୁମାର ନିଜ ପତ୍ନୀଙ୍କ ସହିତ ଯୋଧପୁରରୁ ନିମ୍ବହେଡ଼ା ଫେରୁଥିଲେ। ଦୁଇ ଜଣଯାକ ଗୋଟିଏ ଟ୍ରେନ୍ରେ ଥିଲେ ମଧ୍ୟ ସଂରକ୍ଷଣ ଅଲଗା ଅଲଗା କୋଚରେ ଥିଲା। ତେଣୁ ସେମାନେ ଅଲଗା ଅଲଗା ଯାତ୍ରା କରୁଥିଲେ। ରାସ୍ତାରେ ଦୁଇ ଜଣ ଯାକ ମୋବାଇଲ ଫୋନରେ ପରସ୍ପର ସହିତ କଥାବାର୍ତ୍ତା ହେଉଥିଲେ। କିନ୍ତୁ ନିମ୍ବହେଡ଼ା ଷ୍ଟେସନ ଆସିବା ପୂର୍ବରୁ ଉଷା ସ୍ବାମୀଙ୍କୁ ସେ ଶୌଚାଳୟ ଯାଉଥିବା କହିଥିଲେ। ଏହା ଉଷାଙ୍କ ଶେଷ ଫୋନକଲ୍ ହେବ ବୋଲି କେହି ଜାଣିନଥିଲେ। ନିମ୍ବହେଡ଼ା ଷ୍ଟେସନଠାରେ ରାଜକୁମାର ଟ୍ରେନରୁ ଓହ୍ଲାଇ ପତ୍ନୀଙ୍କୁ ଅପେକ୍ଷା କରିଥିଲେ। କିନ୍ତୁ ଉଷା ଆସି ନଥିଲେ। ବହୁ ସମୟ ଅପେକ୍ଷା ପରେ ମଧ୍ୟ ଉଷାଙ୍କ ସମ୍ପର୍କରେ କିଛି ଜଣା ନପଡ଼ିବାରୁ ଭୟଭୀତ ହୋଇ ରାଜକୁମାର ଚୌହାନ ରେଲୱେ ପୁଲିସକୁ ସୂଚନା ଦେଇଥିଲେ। ରେଲୱେ ପୁଲିସ ଆଗାମୀ ଷ୍ଟେସନକୁ ଏସମ୍ପର୍କରେ ସୂଚନା ଦେଇ ଟ୍ରେନ୍କୁ ଅଟକାଇଥିଲା। ଟ୍ରେନ୍ରେ ବହୁ ଖୋଜାଖୋଜି ପରେ ଉଷାଙ୍କ ସମ୍ପର୍କରେ କିଛି ଜଣାପଡ଼ିନଥିଲା। ଶେଷରେ ତାଙ୍କ ମୋବାଇଲ ଫୋନ ଲୋକେଶନ ଟ୍ରେସ୍ କରାଯାଇଥିଲା।
ଟ୍ରେନ୍ ସେତେବେଳେ ଜାବରା ଷ୍ଟେସନ ପହଞ୍ଚି ସାରିଥିଲା। ଶୌଚାଳୟର କବାଟ ଭାଙ୍ଗି ଉଷାଙ୍କୁ ସେଠାରୁ ଉଦ୍ଧାର କରାଯାଇଥିଲା। ଉଷା ବେହୋସ୍ ଥିଲେ। ଉଦ୍ଧାର କରାଯିବା ପରେ ତୁରନ୍ତ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
