ଆମେରିକା, ଇସ୍ରାଏଲ ଓ ଇରାନ ମଧ୍ୟରେ ହୋଇଥିବା ଦୁଇ ସପ୍ତାହର ଅସ୍ଥାୟୀ ଅସ୍ତ୍ରବିରତି ବର୍ତ୍ତମାନ ସଂକଟ ମଧ୍ୟ ଦେଇ ଗତି କରୁଛି। ଇରାନ କହିଛି ଯେ ଏହି ଅସ୍ତ୍ରବିରତିରେ ଇରାନ ସହିତ ଲେବାନନ୍ ଏବଂ ସମସ୍ତ ପ୍ରତିରୋଧ ଶକ୍ତି ସାମିଲ ଅଛନ୍ତି। ଆଉ ଏପରିସ୍ଥିତିରେ ଇସ୍ରାଏଲ୍ ଯଦି ଲେବାନନ୍ ଉପରେ ଆକ୍ରମଣ ଜାରି ରଖେ, ତେବେ ଏହାର ଭୟଙ୍କର ପରିଣାମ ଭୋଗିବାକୁ ପଡ଼ିବ ବୋଲି ଇରାନ ଚେତାବନୀ ଦେଇଛି। ଇରାନ ପାର୍ଲାମେଣ୍ଟ ବାଚସ୍ପତି ମହମ୍ମଦ ବାଘେର ଘାଲିବାଫ୍ ସୋସିଆଲ ମିଡିଆ ଏକ୍ସର ପୋଷ୍ଟରେ କହିଛନ୍ତି ଯେ ଯୁଦ୍ଧବିରତିରେ ଇରାନ ପାଇଁ ଲଢେଇ କରୁଥିବା ସମସ୍ତ ଶକ୍ତିକୁ ସାମିଲ କରାଯାଇଛି। ତେଣୁ ଲେବାନନ ଉପରେ ଇସ୍ରାଏଲ ଆକ୍ରମଣ କରିବା ଦ୍ବାରା ଅସ୍ତ୍ରବିରତି ଚୁକ୍ତି ଉଲ୍ଲଙ୍ଘନ ହେବ। ଆଉ ଏହି ଚୁକ୍ତି ଉଲ୍ଲଙ୍ଘନର ଭୟଙ୍କର ପରିଣାମ ଭୋଗିବାକୁ ପଡିବ। ଅନ୍ୟପଟେ ଇରାନ-ଇସ୍ରାଏଲ ମଧ୍ୟରେ ଜାରି ରହିଥିବା ଉତ୍ତେଜନା ଭିତରେ ସାମ୍ନାକୁ ଆସିଛି ବଡ଼ ଅପଡେଟ୍ ।ଲେବାନନ ସହ ସିଧାସଳଖ ଆଲୋଚନା ପାଇଁ ସବୁଜ ସଙ୍କେତ ଦେଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ । ଲେବାନନ ପ୍ରଧାନମନ୍ତ୍ରୀଙ୍କ ଅନୁରୋଧ କ୍ରମେ ଏହି ନିଷ୍ପତ୍ତି ନିଆଯାଇଛି । ବେରୁତକୁ ସାମରିକୀକରଣ ମୁକ୍ତ କରିବା ପାଇଁ ହୋଇଥିବା ଆହ୍ୱାନକୁ ନେତାନ୍ୟାହୁ ସ୍ୱାଗତ କରିଛନ୍ତି । ଏହି ଆଲୋଚନାର ମୁଖ୍ୟ ଲକ୍ଷ୍ୟ ହେଉଛି ହିଜବୋଲାକୁ ଅସ୍ତ୍ରମୁକ୍ତ କରିବା ଏବଂ ଦୁଇ ପଡ଼ୋଶୀ ଦେଶ ମଧ୍ୟରେ ଶାନ୍ତି ପ୍ରତିଷ୍ଠା କରିବା । ଲେବାନନ ପକ୍ଷରୁ ବାରମ୍ବାର ଦାବି ପରେ ସେ ଆଲୋଚନା ପାଇଁ ଅନୁମତି ଦେଇଛନ୍ତି ବୋଲି କହିଛନ୍ତି ନେତାନ୍ୟାହୁ । ତେବେ ଇସ୍ରାଏଲର ଏହି ଘୋଷଣା ଉପରେ ଲେବାନନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ ।
