
ଦଶପଲ୍ଲା,(ଓଡ଼ିଶା ଦର୍ପଣ): ସଙ୍ଗୀତଧାରା, ନୟାଗଡ଼ ପକ୍ଷରୁ ଆୟୋଜିତ ସିଜିନ-୩ ଭକ୍ତି ସଙ୍ଗୀତ ପ୍ରତିଯୋଗିତାର ଦଶପଲ୍ଲା ବ୍ଲକ ଅଡିସନ ଆସନ୍ତା ୧୬ ତାରିଖ ରବିବାର ଦିନ ଦଶପଲ୍ଲା ସରକାରୀ ହାଇସ୍କୁଲ ପରିସରରେ ଅନୁଷ୍ଠିତ ହେବ। ଦଶପଲ୍ଲା ସ୍ବପ୍ନ ମହାବୀର ମନ୍ଦିର ଠାରେ ସଙ୍ଗୀତଧାରା ସମ୍ପାଦକ କଣ୍ଠଶିଳ୍ପୀ ପ୍ରଶାନ୍ତ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ପ୍ରତିଯୋଗିତାର ଆଭିମୁଖ୍ୟ ଏବଂ କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା । ପ୍ରସ୍ତୁତି ବୈଠକରେ ସଂଗୀତଧାରା ସହ ସମ୍ପାଦକ ପ୍ରଶାନ୍ତ କୁମାର ପଟ୍ଟନାୟକ, ସଂଯୋଜକ ଲକ୍ଷ୍ମୀଧର ସାହୁ, ତଥା ଆବାହକ ଅଶୋକ ମଲ୍ଲଙ୍କ ସହିତ ସୁ ସାହିତ୍ୟିକ ତଥା ଶିକ୍ଷାବିତ୍ ବିଘ୍ନେଶ୍ୱର ବେହେରା ପ୍ରମୁଖ ଯୋଗଦାନ କରି କାର୍ଯ୍ୟକ୍ରମର ସଫଳତା ସମ୍ପର୍କରେ ଆଲୋଚନା କରିଥିଲେ। ସୂଚନାଯୋଗ୍ୟ ଯେ ଜିଲ୍ଲାରେ ଥିବା ଲୁକ୍କାୟିତ ସଙ୍ଗୀତ ପ୍ରତିଭା ମାନଙ୍କୁ ଲୋକଲୋଚନକୁ ଆଣିବା ପାଇଁ ‘ସଙ୍ଗୀତଧାରା’ ,ନୟାଗଡ଼ ପକ୍ଷରୁ ଜିଲ୍ଲାସ୍ତରୀୟ ଭକ୍ତିସଙ୍ଗୀତ ପ୍ରତିଯୋଗିତା ଜିଲ୍ଲାର ସମସ୍ତ ବ୍ଲକରେ ଅନୁଷ୍ଠିତ ହେଉଅଛି। ଏହି ପରିପ୍ରେକ୍ଷୀରେ ଆସନ୍ତା ରବିବାର ପୂର୍ବାହ୍ନ ୧୦ଟା ସମୟରେ ବିନା ବାଦ୍ୟଯନ୍ତ୍ରରେ ପ୍ରତିଯୋଗୀ ମାନଙ୍କ ଅଡିସନ ନିଆଯିବ। ୧୪ରୁ ୨୪ବର୍ଷ ବୟସର ଉଭୟ ପୁଅ ଝିଅ ଏହି ପ୍ରତିଯୋଗିତାରେ ଭାଗ ନେଇ ପାରିବେ ବୋଲି ପ୍ରସ୍ତୁତି ବୈଠକରେ ସୂଚନା ଦିଆଯାଇଛି । ପ୍ରତିଯୋଗୀ ମାନେ ସକାଳ ସାଢେ଼ ୯ଟାରେ ନିର୍ଦ୍ଧାରିତ ସ୍ଥାନରେ ପହଞ୍ଚି ନାମ ପଞ୍ଜିକରଣ କରିବେ। ସଙ୍ଗୀତଧାରା ନିଷ୍ପତ୍ତି ଅନୁଯାୟୀ ଚୂଡ଼ାନ୍ତ ପର୍ଯ୍ୟାୟ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ‘ନୟାଗଡ଼ ସଙ୍ଗୀତ କଲ୍ଲୋଳ’ ଉପାଧି ସହିତ ନଗଦ ୧୧ ହଜାର ଟଙ୍କା ପୁରସ୍କାର ଅର୍ଥରାଶି ଏବଂ ଦ୍ୱିତୀୟ, ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ ମାନଙ୍କୁ ଯଥାକ୍ରମେ ୫ ହଜାର ଏବଂ ୩ ହଜାର ଅର୍ଥରାଶି ପୁରସ୍କାର ପ୍ରଦାନ କରାଯିବ ବୋଲି ସୂଚନା ଦିଆଯାଇଛି।By:-Laxmidhar Sahoo
