ପଶ୍ଚିମ ଓଡ଼ିଶାରେ ପର୍ଯ୍ୟଟନର ଅପାର ସମ୍ଭାବନା ରହିଛି । ପର୍ଯ୍ୟଟକମାନେ ସ୍ଥାନୀୟ ପର୍ଯ୍ୟଟନ ସ୍ଥଳର ଝରଣା, ଜଙ୍ଗଲ, ବଣ, ପାହାଡ଼, ଜଳପ୍ରପାତ ହେଉକି ଐତିହାସିକ ସ୍ଥଳ ଦେଖିଲା ପରେ ପୁଣି ହୋଟେଲରେ ଆସି ରୁହନ୍ତି l ଏଭଳି ପରିସ୍ଥିତିରେ ସେମାନେ ସ୍ଥାନୀୟ କଳା, ସଂସ୍କୃତି, ଖାଦ୍ୟ ପେୟ, ଚଳଣି ବିଷୟରେ ସମ୍ପୂର୍ଣ୍ଣ ରୂପେ ଅବଗତ ହୋଇ ପାରନ୍ତି ନାହିଁ l ତେଣୁ ଏବେ ପର୍ଯ୍ୟଟକ ମାନଙ୍କୁ ଏହି ସବୁ ଜଣେଇବା ଉଦ୍ଦେଶ୍ୟ ରେ ରାଜ୍ୟ ପର୍ଯ୍ୟଟନ ବିଭାଗ “ହୋମ ଷ୍ଟେ” ପଲିସି ର ଆରମ୍ଭ କରିବାକୁ ଯାଉଛି lପର୍ଯ୍ୟଟନ ସ୍ଥଳୀ ଆଖପାଖ ଗାଁ ଗୁଡିକରେ କୌଣସି ବ୍ୟକ୍ତି ନିଜ ଘରେ ପର୍ଯ୍ୟଟକଙ୍କୁ ଆତିଥ୍ୟ ଦେବାର ବ୍ୟବସ୍ଥା କଲେ ତାଙ୍କୁ ପର୍ଯ୍ୟଟନ ବିଭାଗ 30% ପର୍ଯ୍ୟନ୍ତ ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କରିବେ l ଜଣେ ବ୍ୟକ୍ତି ଯଦି ନିଜ ଘରକୁ ଲାଗି ପର୍ଯ୍ୟଟକଙ୍କୁ ଆତିଥ୍ୟ ଦେବା ଉଦ୍ଦେଶ୍ୟରେ ହୋଟେଲ ଷ୍ଟାଇଲରେ କିଛି କୋଠରୀ ତିଆରି କରିବ, ଆଉ ସେହି କୋଠରୀ ନିର୍ମାଣର 30 % ଖର୍ଚ୍ଚ ପର୍ଯ୍ୟଟନ ବିଭାଗ ପ୍ରଦାନ କରିବେ l ଏହି ଯୋଜନାରେ ଜଣେ ବ୍ୟକ୍ତି 2ରୁ 6ଟି ପର୍ଯ୍ୟନ୍ତ ରୁମ ବା କୋଠରୀ ତିଆରି କରି ପାରିବ। ଏଥିପାଇଁ ତାଙ୍କୁ ପର୍ଯ୍ୟଟନ ବିଭାଗ ର ସହ ଯୋଗଯୋଗ କରିବାକୁ ପଡିବ।ମୁଖ୍ୟତଃ ସମ୍ବଲପୁର ଜିଲ୍ଲା ଏବେ ଏକ ବଡ଼ ପର୍ଯ୍ୟଟନ ହବ ଭାବେ ଉଭା ହୋଇଛି l ସମ୍ବଲପୁରର ସମଲେଇ ପ୍ରକଳ୍ପ, ହୀରାକୁଦ ଡ୍ୟାମ, ଡେବରିଗଡ଼ ଅଭୟରାଣ୍ୟ, ସମ୍ବଲପୁର ଚିଡ଼ିଆ ଖାନା, ଘଣ୍ଟେଶ୍ୱରୀ ପୀଠ, ହୁମାର ବକ୍ର ମନ୍ଦିର, ଗୁଦୁଗୁଦା ଜଳ ପ୍ରପାତ, ଭୀମ ମଣ୍ଡଳୀ, ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମପୀଠ ଖିଣ୍ଡା, ଉଷାକୋଠି ଅଭୟାରଣ୍ୟ ଆଦି ଆକର୍ଷଣୀୟ ପର୍ଯ୍ୟଟନ ସ୍ଥଳ ରହିଛି l ଏସବୁ ଦେଖିବାକୁ ହେଲେ ଜଣେ ବ୍ୟକ୍ତିଙ୍କୁ ଅତି କମରେ 3 ଦିନର ରହଣି କରିବାକୁ ପଡିବ l ସେହି ଦୃଷ୍ଟି କୋଣରୁ ଏହି ପଦକ୍ଷେପ ନେଇଛି ପର୍ଯ୍ୟଟନ ବିଭାଗ l
