ଓଡ଼ିଶାରେ ରକ୍ତ କର୍କଟ ରୋଗୀଙ୍କୁ ଉତ୍ତମ ଚିକିତ୍ସା ପ୍ରଦାନ ଓ ହେମାଟୋ ଅଙ୍କୋଲଜିକାଲ୍ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାରେ ଅଗ୍ରଣୀ ହସ୍ପିଟାଲ୍ ଭାବେ ପରିଚିତ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ ଆଣ୍ଡ ସମ ହସ୍ପିଟାଲ୍ରେ ଯୁଗାନ୍ତକାରୀ ଚିମେରିକ ଆଂଟିଜେନ୍ ରିସେପ୍ଟର-ଟି ସେଲ୍ (କାର ଟି-ସେଲ) ଥେରାପି ଚିକିତ୍ସା ଉପଲବ୍ଧ ହୋଇଛି। ମୟୁରଭଞ୍ଜ ଜିଲ୍ଲାର ଜଣେ ୧୫ ବର୍ଷୀୟା ଝିଅର ଶରୀରରେ ଏହି ଚିକିତ୍ସା ପ୍ରୟୋଗ କରାଯାଇଥିବା ବେଳେ ଏହା ଫଳପ୍ରଦ ହୋଇଛି ଏବଂ ସେ ସୁସ୍ଥ ଅଛି ବୋଲି ପ୍ରଫେସର ସାମଲ କହିଛନ୍ତି। ଚିରାଚରିତ କେମୋଥେରାପିରୁ ଭିନ୍ନ ଏହି କାର ଟି-ସେଲ ଥେରାପିରେ ରୋଗୀର ଟି-ସେଲକୁ ଜେନେଟିକାଲି ପରିବର୍ତିତ କରି ଶରୀରର କର୍କଟ କୋଷ ଗୁଡ଼ିକୁ ନଷ୍ଟ କରିବାକୁ ବ୍ୟବହାର କରାଯାଏ। ଏହି ପ୍ରକ୍ରିୟା ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି ଯେ ରୋଗୀର ନିଜ କୋଷଗୁଡ଼ିକୁ ବ୍ୟବହାର କରାଯାଇ ଅନୁବଂଶିକ ରୂପରେ ଲାବାରୋଟୋରୀରେ ସଂଶୋଧିତ ତଥା ସଂଖ୍ୟା ବୃଦ୍ଧି କରାଯାଇ ପୁଣି ଥରେ ରୋଗୀର ଶରୀରରେ ପ୍ରବେଶ କରଯାଏ। ଏହି କୋଷଗୁଡ଼ିକ କର୍କଟ କୋଷଗୁଡ଼ିକୁ ଚିହ୍ନଟ କରି ନଷ୍ଟ କରିବାରେ ସହାୟକ ହୋଇଥାଏ। ଏହି ଥେରାପି ବିଶ୍ୱ ସ୍ତରରେ ଖୁବ୍ ସଫଳ ହୋଇଥିବା ବେଳେ ବିଶେଷ ଭାବେ ଯେଉଁ ରୋଗୀମାନେ ଚିରାଚରିତ କର୍କଟ ଚିକିତ୍ସା ଓ ବୋନ୍ମ୍ୟାରୋ ଟ୍ରାନ୍ସପ୍ଲାଂଟ ଦ୍ୱାରା ଉପକୃତ ହେଉ ନାହାନ୍ତି ସେମାନଙ୍କ ପାଇଁ ଖୁବ୍ ସହାୟକ ହେଉଛି। ଭାରତରେ ରୋଗୀମାନେ ଏହି ଚିକିତ୍ସା ଦ୍ୱାରା ଉପକୃତ ହୋଇପାରିବେ ବୋଲି ପ୍ରଫେସର ସାମଲ କହିଛନ୍ତି।ସ୍ୱଦେଶୀ ଜ୍ଞାନ କୌଶଳରେ ଆଇଆଇଟି, ବମ୍ବେ ଏବଂ ମୁମ୍ବାଇ ସ୍ଥିତ ଟାଟା ମେମୋରିଆଲ ହସ୍ପିଟାଲ୍ ମିଳିତ ଭାବେ ବିକଶିତ କରିଥିବା କାର ଟି-ସେଲ ଥେରାପିକୁ ଭାରତର ଇମ୍ୟୁନୋଆକ୍ଟ ପକ୍ଷରୁ ନେକ୍ସକାର୧୯ ଭାବେ ରୋଗୀମାନଙ୍କୁ ସୁଲଭ ମୂଲ୍ୟରେ ଯୋଗାଇ ଦିଆଯାଉଛି ବୋଲି ସେ କହିଛନ୍ତି।