ନୟାଗଡ଼,(ଓଡ଼ିଶା ଦର୍ପଣ): ଶିକ୍ଷା ଗ୍ରହଣ ଯେପରି ଗୁରୁତ୍ଵପୂର୍ଣ୍ଣ, ସେହିପରି ସଠିକ ବିଷୟ ଚୟନ, ଅଧିକାର, କର୍ତ୍ତବ୍ୟ ଓ ଆଇନଗତ ଜ୍ଞାନ ମଧ୍ୟ ଦରକାର । ନୟାଗଡ଼ ଜିଲ୍ଲା ଓ ଦୌରାଜଜ ତଥା ଅଧ୍ୟକ୍ଷ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନନ୍ଦ ନାରାୟଣ ମହାରଣାଙ୍କ ନିର୍ଦ୍ଦେଶରେ ସଚିବ ଅଞ୍ଜଳି ମଛଖଣ୍ଡଙ୍କ ତତ୍ୱାବଧାନରେ ସରକାରୀ ଆଇ.ଟି.ଆଇ ନୟାଗଡ଼ ଠାରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଅଛି । ଜାତୀୟ ଆଇନ ସେବା ପ୍ରାଧିକରଣ ସଙ୍ଗୀତ “ଏକ ମୁଠି ଆସମାନ” ଗାନ ସହିତ ପବନ କୁମାର ବେହେରାଙ୍କ ସଂଯୋଜନାରେ ସଭାକାର୍ଯ ଅନୁଷ୍ଠିତ ହୋଇଥିଲା । । ସଚିବ ତଥା ବରିଷ୍ଠ ବର୍ଗ ବିଚାରପତି ଅଞ୍ଜଳି ମଛଖଣ୍ଡ ପୋସ୍କୋ ନିୟମର ଆବଶ୍ୟକତା ସହିତ କର୍ମକ୍ଷେତ୍ରରେ ମହିଳା କର୍ମଚାରୀଙ୍କ ସୁରକ୍ଷାକୁ ଉଦାହରଣ ସହିତ ପ୍ରାଞ୍ଜଳ ଭାବରେ ଦର୍ଶାଇଥିଲେ । ଆଇନଜୀଵୀ କାମାକ୍ଷା ପ୍ରସାଦ ଦାସ ନାଗରିକର ମୌଳିକ କର୍ତ୍ତବ୍ୟ ଉପରେ କହିବା ସହିତ, ସଦସ୍ୟ ମହମ୍ମଦ ଓମାର ମାଲିକ ଜିଲ୍ଲା ଆଇନ ସେବା ପ୍ରାଧିକାରଣ କାର୍ଯ୍ୟର ଦୃଷ୍ଟାନ୍ତ ବୁଝାଇଥିଲେ । ବରିଷ୍ଠ ଆଇନଜୀବି ରମେଶ ଚନ୍ଦ୍ର ମହାରଣା ଶିଶୁ ମାନଙ୍କୁ ଯୌନ ଶୋଷଣ ଏବଂ ବାଳ ଅପରାଧ ନିରାକରଣ ଓ ନିୟମ ଉପରେ ସବିଶେଷ ବିବରଣୀ ପ୍ରଦାନ କରିଥିଲେ ।ଜିଲ୍ଲା ଶିଶୁ ସୁରକ୍ଷା ଅନୁଷ୍ଠାନର ପରାମର୍ଶଦାତା ଅରସାଦ ଅନସାରି ଶିଶୁ ସୁରକ୍ଷାର ମାଧ୍ୟମ ବୁଝାଇଥିଲେ ।
ଅନୁଷ୍ଠାନର ଛାତ୍ର ଛାତ୍ରୀ ମାନେ ଏହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଜିଲ୍ଲା ଆଇନ ସେବା ପ୍ରାଧିକରଣର କର୍ମଚାରୀ ପ୍ରଶାନ୍ତ କୁମାର ସାହୁ, ରାଜେଶ କୁମାର ବାରିକ, ନ୍ୟାୟ ଅଧିକାର ମିତ୍ର ମମତା ବେହେରା, ଶୁଭସ୍ମୀତା ମିଶ୍ର, ପ୍ରଫୁଲ୍ଲ କୁମାର ବେହେରା, ପୋଲିସ ଏବଂ ସାମ୍ବାଦିକମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଛାତ୍ରୀମାନେ ଏକ ଚିତାକର୍ଷକ ନୃତ୍ୟରେ ଶିକ୍ଷାର ଉପକାର ଦର୍ଶାଇଥିଲେ । ଭରପ୍ରାପ୍ତ ଅଧକ୍ଷ ଜିତେନ୍ଦ୍ର କୁମାର ବରାଡ ଶିଳ୍ପ ଭିତ୍ତିକ ଶିକ୍ଷାରେ ଏହି ପ୍ରକାର ସଚେତନତା କାର୍ଯ୍ୟକ୍ରମ ପିଲାମାନଙ୍କ ପାଇଁ ବିଶେଷ ଗୁରୁତ୍ଵପୂର୍ଣ୍ଣ ବୋଲି ଦର୍ଶାଇବା ସହ ଧନ୍ୟବାଦ ଅର୍ପଣ କରିଥିଲେ । ପରିଶେଷରେ ସଚିବ ଏହି ଶିକ୍ଷା ଅନୁଷ୍ଠାନର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସ୍ଵ ନିର୍ମିତ ପ୍ରକଳ୍ପ ଦେଖି ନିଜର ସନ୍ତୋଷ ବ୍ୟକ୍ତ କରିଥିଲେ ।