ସର୍ବଭାରତୀୟ ହକି ଚାମ୍ପିୟନସିପ-୨୦୨୫:ସୁରକ୍ଷା ବ୍ୟବସ୍ଥାକୁ ନେଇ ଡିଜିପିଙ୍କ ସମୀକ୍ଷା ବୈଠକ

ଆସନ୍ତା ମାର୍ଚ୍ଚ ମାସରେ ଓଡ଼ିଶା ପୋଲିସ ଆନୁକୂଲ୍ୟରେ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମଠାରେ ୭୩ତମ ସର୍ବଭାରତୀୟ ହକି ଚାମ୍ପିୟନସିପ- ୨୦୨୫ ଅନୁଷ୍ଠିତ ହେବାକୁ ଯାଉଛି। ଏହି ଅବସରରେ ଡିଜିପି କ୍ୟାମ୍ପ କାର୍ଯ୍ୟାଳୟଠାରେ ଡିଜିପି ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ଉକ୍ତ ଚାମ୍ପିୟନସିପକୁ ଶୃଙ୍ଖଳିତ ଭାବରେ ପରିଚାଳନା ସହିତ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ଡିଜିପି ଶ୍ରୀ ଖୁରାନିଆ ବରିଷ୍ଠ ପୋଲିସ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।ସୂଚନା ଅନୁସାରେ, ଆୟୋଜିତ ହେବାକୁ ଥିବା ଏହି ଚାମ୍ପିୟନସିପରେ ଦେଶର ୨୭ଟି ପୁରୁଷ ଏବଂ ୧୦ଟି ମହିଳା ଟିମ ଅଂଶଗ୍ରହଣ କରିବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଖେଳାଳିଙ୍କ ରହିବା ସ୍ଥାନ, ନିୟମିତ ଅଭ୍ୟାସ, ଅତିଥିଙ୍କୁ ସ୍ୱାଗତ, ଉଦଘାଟନ ଓ ଉଦଯାପନୀ ସମାରୋହକୁ ଶୃଙ୍ଖଳିତ ଭାବେ ଆୟୋଜନ କରିବାକୁ ଡିଜିପି ବୈଠକରେ ଉପସ୍ଥିତ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।ଖେଳାଳିମାନେ କଳିଙ୍ଗ ଷ୍ଟାଡିୟମ ସମେତ ପୋଖରୀପୁଟ ଓ କିଟ୍‌ କ୍ୟାମ୍ପସ ଗ୍ରାଉଣ୍ଡରେ ଅଭ୍ୟାସ କରିବେ।

ଏଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ଡିଜିପି ନିର୍ଦ୍ଦେଶ ଦେଇଛନ୍ତି। ଏହା ସହ ଏହି ଚାମ୍ପିୟନସିପରେ ବହୁ ଅନ୍ତର୍ଜାତୀୟ ହକି ଖେଳାଳିଙ୍କ ସମେତ ଭିଭିଆଇପି ଏବଂ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତି ବିଶେଷ ଯୋଗ ଦେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ଡିଜିପି ନିର୍ଦ୍ଦେଶ ଦେଇଛନ୍ତି।

ଅଧିକ ପଢନ୍ତୁ