ସହୀଦ ସୌମ୍ୟାଶ୍ରୀଙ୍କ ଉଦ୍ଦେଶ୍ୟରେ ନାରୀ ନିର୍ଯ୍ୟାତନା ସମାପ୍ତ ଦାବୀରେ ଭୁବନେଶ୍ବରରେ ଯୁବଛାତ୍ର ସମ୍ମିଳନୀ। ୪ ଅଗଷ୍ଟରୁ ୧୮ ଅଗଷ୍ଟ ବାଲେଶ୍ବରରୁ ଭୁବନେଶ୍ବର ପଦଯାତ୍ରା

ଭୁବନେଶ୍ବର: ଛବିରାଣୀ ଠାରୁ ଇତିଶ୍ରୀ, ଇତିଶ୍ରୀ ଠାରୁ ସୌମ୍ୟାଶ୍ରୀ, ୩ ଦଳର ୩ ପ୍ରତୀକ। ସମସ୍ତେ କିନ୍ତୁ ଏବେ ମହିଳାଙ୍କ ପାଇଁ ରାସ୍ତାରେ। ନିଜ ନିଜ ଶାସନରେ ମହିଳାଙ୍କୁ ସୁରକ୍ଷା ଦେଇପାରିନଥିବା ଅଭିଯୁକ୍ତମାନେ ଏବେ ନାରୀ ନିର୍ଯ୍ୟାତନା ବିରୁଦ୍ଧରେ । ଏହାହିଁ ତ ବିଷ୍ମୟ। ଦଳ ବଦଳୁଛି, ବ୍ୟବସ୍ଥା ବଦଳୁନାହିଁ। ବ୍ୟବସ୍ଥା ପରିବର୍ତ୍ତନ ସଂଗ୍ରାମର ପ୍ରାରମ୍ଭ ୧୯୯୯ରୁ ଆଜି ପର୍ଯ୍ୟନ୍ତ ଲମ୍ବା ଯାତ୍ରା- ନବନିର୍ମାଣର। ଇତିଶ୍ରୀ, ବେବିନା, ମାଧବିଲତା, ପିହୁ ଠାରୁ ଆରମ୍ଭ କରି ରୁଚିକା ମହାନ୍ତି ସମସ୍ତେ ବ୍ୟବସ୍ଥାର ଚକ୍ରବିହ୍ବରେ ଫଶି ଯାଇଛନ୍ତି। ଆମ ଗଣତାନ୍ତ୍ରୀକ ନ୍ୟାୟୀକ ସାମ୍ବିଧାନିକ ବ୍ୟବସ୍ଥା, ଲୋକ ପ୍ରତିନିଧି କେହି ଏମାନଙ୍କୁ ଅତ୍ୟାଚାରର ଦମନରୁ ବଞ୍ଚାଇ ପାରିନାହାଁନ୍ତି। ଇତିଶ୍ରୀ ଘଟଣାରେ କମ୍ ଲଢ଼ିନଥିଲା ଇତିଶ୍ରୀ, ସବୁ ଦ୍ବାରକୁ ଠକ୍ ଠକ୍ ପିଟିଥିଲା। ହେଲେ କିଛି ବି ପ୍ରତିଉତ୍ତର ମିଳିନଥିଲା ତାକୁ। କେଉଁ ବ୍ୟବସ୍ଥା ତା ସପକ୍ଷରେ ଠିଆ ହୋଇନଥିଲା। ଆଜି ସହୀଦ ସୌମ୍ୟାଶ୍ରୀର ମୃତ୍ୟୁ ସମାନ ଢାଞ୍ଚାରେ ଘଟିଛି। କାହିଁକି ଏମିତି ଘଟୁଛି ବାରମ୍ବାର। ସତରେ କଣ ରାସ୍ତା ରୋକ୍, ବନ୍ଦ ପାଳନ ଦ୍ବାରା ଏସବୁର ସମାଧାନ ସୂତ୍ର ବାହାରିବ ? ଆମେ ଏହି ଆନ୍ଦଳନକୁ ଆହୁରି ଉଜାଗର କରିବା ପାଇଁ ଜନମାନସରେ ଏହାକୁ ନେଇ ଜନଜାଗୃତ କରିବା ପାଇଁ ଏକ ଲମ୍ବା ବୈଚାରିକ, ବୈପ୍ଲବୀକ ପଦକ୍ଷେପ ନେଉଛୁ। ଆଇନ୍ ତା ବାଟରେ ଯାଉନାହିଁ, ଆଇନର ରକ୍ଷକମାନେ ଆଇନର କାର୍ଯ୍ୟକାରିତା କରିବା ପାଇଁ ବିନା କାରଣରେ ପଛଘୁଞ୍ଚା ଦେଉଛନ୍ତି। କେବେ ଧନତନ୍ତ୍ର ଚାପରେ ଦଳି ଚକଟି ହେଉଛି ଆଇନ୍ ତ, କେବେ କେବେ ବାବୁ ମାନଙ୍କର ଉଦାସପଣ ଓ କାମଲାଳସାର ଭଉଁରୀ ଭିତରେ ସହୀଦ୍ ପାଲଟୁଛି ସହୀଦ ସୌମ୍ୟାଶ୍ରୀ। ଆମେ ଚାହୁଁ ସକଳ ସ୍ତରର ଲୋକ- ଛାତ୍ର, ଯୁବକ, ମହିଳା, ବୁଦ୍ଧିଜିବୀ ଓ ଆଧ୍ୟାତ୍ମିକ ସଂସ୍କାରକ, ସମସ୍ତେ ଅଣ୍ଟା ଭିଡ଼ନ୍ତୁ। ଏଭଳି ଭ୍ରଷ୍ଟାଚାର ନାରକୀୟ କାଣ୍ଡ ବିରୁଦ୍ଧରେ ସକଳ ସ୍ତରରେ ନାନା ବିଧି କାର୍ଯ୍ୟକ୍ରମ ହେଉ। ସେଇଥିପାଇଁ ଆମେ ୪ଟି ଜୋନ୍ ସ୍ତରୀୟ ଛାତ୍ର ସମ୍ମିଳନୀ କରିବା ସହିତ ବାଲେଶ୍ବରର ଏଫ୍. ଏମ୍ କଲେଜରୁ ଅଗଷ୍ଟ ୪ ତାରିଖରେ ଏହି ପଦଯାତ୍ରା ବାହାରି ଅଗଷ୍ଟ ୧୮ ତାରିଖରେ ଭୁବନେଶ୍ବର ପିଏମଜିରେ ପହଞ୍ଚି ଏକ ବିଶାଳ ଛାତ୍ର ସମ୍ମିଳନୀ ଅନୁଷ୍ଠିତ ହେବ। ଜଣେ କେହିଁ ଅସଦାଚଣର ଶୀକାର ହେଲେ ସାଙ୍ଗେ ସାଙ୍ଗେ କ୍ରିୟାଶୀଳ ସମାଜର ବିଭିନ୍ନ ବର୍ଗ ସେଥିରେ ହସ୍ତକ୍ଷେପ ପାଇଁ ଧାଇଁ ଆସିଥିବେ। ପ୍ରିନ୍ସପାଲ, ଶିକ୍ଷକଙ୍କ ଭଳି ଛୋଟିଆ ପଦାଧିକାରୀ ଏଭଳି ଉପେକ୍ଷାର ନାଟକ କରି ବିଦ୍ୟାର୍ଥୀଙ୍କୁ ବଳି ପକାଇ ପାରିବେ ନାହିଁ। ଆମ ସମାଜରେ ଘଟିଥିବା ଏହି ଅଘଟଣକୁ ଅଭିଯୁକ୍ତ ରାଜନୈତିକ ଦଳଙ୍କ ହାତରେ ଛାଡ଼ି ନଦେବା ପାଇଁ ଆମର ଏ ସମାବେଶ ଓ ସମ୍ମିଳନୀ। ଏହି ପଦଯାତ୍ରାରେ ସମସ୍ତଙ୍କୁ ନିବେଦନ କରିବା, ନିଜର ମୂଲ୍ୟବାନ ସମୟ କାଢ଼ି ସାମିଲ ହୁଅନ୍ତୁ ଓ ଛାତ୍ର, ଯୁବକ, କୃଷକ ଓ ମହିଳା ସମାଜ ଅଣ୍ଟାରେ କାନି ଭିଡ଼ି ରାଜ ରାସ୍ତାକୁ ବାହାରନ୍ତୁ। ଆଇନର ଗଳି ବାଟ ଦେଇ ଆମେ କାହିଁକି ଅତ୍ୟାଚାରିତ ହେବୁ ? କାହିଁକି ଦରମାଖିଆ ପୋଲିସ, ରାଜ ନେତା, ଅଧ୍ୟାପକ, ଭେଡ଼ ହୋଇ ଫସଲ ଖାଇଗଲେ, ସ୍ବାଧିନତା ସଂଗ୍ରାମୀମାନଙ୍କର ଅମୂଲ୍ୟ ସ୍ବପ୍ନ କାହିଁକି ଧର୍ଷିତ ହେବ ସ୍ବାଧିନ ଭାରତରେ।

ମହାତ୍ମା ଗାନ୍ଧୀଙ୍କ ସେହି ଅମୂଲ୍ୟ ବାଣୀ- “ନିଶାଦରେ ଜଣେ ଯୁବତୀ ଯଦି ଏକାକି ରାସ୍ତାରେ ଯାଇପାରିବ ତାହା ହିଁ ହେବ ଆଦର୍ଶ ସମାଜର ସ୍ବପ୍ନ“। ଆସନ୍ତୁ ଆମ ବୃହତ୍ତର ସମାଜର ଏହି କଳଙ୍କିତମୟ ଅବସ୍ଥାର ସମାପ୍ତ ପାଇଁ ପଦଯାତ୍ରାରେ ସାମିଲ୍ ହେବା ଓ ସମ୍ମିଳନୀକୁ ସଫଳ କରିବା। ରାଜନୈତିକ ନାରା ମାଧ୍ୟମରେ ନୁହେଁ, ବରଂ ସାଂସ୍କୃତିକ ଓ ଆଧ୍ୟାତ୍ମିକ ଚେତନା ମାଧ୍ୟମରେ ଏହି ଅଭିଯାନକୁ ଆହୁରି ଶାଣିତ କରି ନୂଆ ଯୁଗ ଆରମ୍ଭ କରିବା। ଉକ୍ତ ଉଦ୍ଦେଶ୍ୟକୁ ସଫଳ କରିବା ପାଇଁ ନବନିର୍ମାଣ ଯୁବଛାତ୍ର ସଂଗଠନ ସହୀଦ୍ ସୌମ୍ୟାଶ୍ରୀ ବିଶିଙ୍କ ସ୍ମୃତି ଉଦ୍ଦେଶ୍ୟରେ ଉକ୍ତ ପଦଯାତ୍ରା ଓ ସମ୍ମିଳନୀ କରିବା ପାଇଁ ନବନିର୍ମାଣ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଆଜିର ସାମ୍ବାଦିକ ସମ୍ମିଳନୀରେ ନବନିର୍ମାଣ ଯୁବଛାତ୍ର ସଂଗଠନର ପ୍ରତିଷ୍ଠାତା ଅକ୍ଷୟ କୁମାର ଏବଂ ସଂଯୋଜକ ମନଓ୍ବର ଅଲ୍ଲୀ ପ୍ରକାଶ କରିଥିଲେ।

ଅଧିକ ପଢନ୍ତୁ

kc ads