ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଶନିବାର ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଘରେ ପଚରାଉଚରା କରିଛି । ଇଡି ଟିମ୍ ସାତ ଘଣ୍ଟା ଯାଏ ସିଏମ୍ ସୋରେନଙ୍କ ଘରେ ରହିଥିଲେ । ଜମି ଦୁର୍ନୀତି ମାମଲାରେ ବାରମ୍ବାର ସମନ ମିଳିବା ସତ୍ତ୍ୱେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ସମ୍ମୁଖରେ ହାଜର ହେଉନାହାନ୍ତି। ତେଣୁ ନିଜେ ଇଡି ଟିମ୍ ତାଙ୍କୁ ପଚରାଉଚରା କରିବା ଲାଗି ଶନିବାର ରାଞ୍ଚି ଆସିଥିଲେ । ଏହାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା ।ପଚରାଉଚରା କରୁଥିବା ଅଧିକାରୀଙ୍କ ମଧ୍ୟରେ ଥିଲେ ଦିଲ୍ଲୀରୁ ଆସିଥିବା ୩ ଅଧିକାରୀ । ଜମି ହଡ଼ପ ମାମଲାରେ ଇଡି ଏହି ତନାଘନା କରୁଛି । ଜମି ମାଫିଆଙ୍କ ଜରିଆରେ ବିପୁଳ ପରିମାଣର ଜମିର ମାଲିକାନା ପରିବର୍ତ୍ତନ କରାଯାଇଥିବା ଅଭିଯୋଗ ହୋଇଛି ।
ମାମଲାରେ ପୂର୍ବରୁ ୧୪ ଜଣଙ୍କୁ ଗିରଫ କରିସାରିଛି ଇଡି । ୨୦୧୧ ବ୍ୟାଚ୍ ଆଇଏଏସ ଅଫିସର ଛବି ରଂଜନ ମଧ୍ୟ ଗିରଫଙ୍କ ମଧ୍ୟରେ ଅଛନ୍ତି । ଝାରଖଣ୍ଡରେ ରାଜ୍ୟ ସମାଜ ମଙ୍ଗଳ ବିଭାଗର ନିର୍ଦ୍ଦେଶକ ସହ ରାଞ୍ଚିର ଡେପୁଟୀ କମିଶନର ଥିଲେ ଛବିରଂଜନ ।ମିଳିଥିବା ଖବର ଅନୁସାରେ ଆଜି ଗୋଟିଏ ଦିନରେ ଇଡିର ପଚରାଉଚରା ଶେଷ ହୋଇପାରି ନାହିଁ । ଇଡି ଆଉ ଆହୁରି ଗୋଟିଏ ଦିନ ପଚରାଉଚରା କରିପାରେ । ତେବେ କେନ୍ଦ୍ରୀୟ ଏଜେନ୍ସି କେଉଁ ଦିନ ପଚରାଉଚାର କରିବ ତାହା ପରେ ସ୍ଥିର ହେବ ।