ଆସନ୍ତା ୨୬ ତାରିଖରେ ଭୁବନେଶ୍ଵର ମହାତ୍ମା ଗାନ୍ଧି ମାର୍ଗରେ ରାଜ୍ୟ ସ୍ତରୀୟ ସାଧାରଣତନ୍ତ୍ର ଦିବସ ଅନୁଷ୍ଠିତ ହେବ। ଏଥିପାଇଁ ୨୨ ଓ ୨୩ ତାରିଖ ଅପରାହ୍ଣ ୨ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏବଂ ୨୪ ତାରିଖ ସକାଳ ୭ଟା ରୁ ୧୧.୩୦ ପର୍ଯ୍ୟନ୍ତ ଅଭ୍ୟାସ ପରେଡ ଅନୁଷ୍ଠିତ ହେବ। ଏଥିପାଇଁ ସର୍ବସାଧାରଣ ଯାତାୟତ ନିମନ୍ତେ କଟକଣା ଲାଗୁ କରାଯାଇଛି। କଟକଣା ସମୟରେ କୌଣସି ପ୍ରକାର ଭାରିଯାନ ରାମମନ୍ଦିର ଏବଂ ରାଜମହଲ ଛକ ପାର୍ଶ୍ୱରୁ ମାଷ୍ଟରକ୍ୟାଣ୍ଟିନ୍ ଛକ ଯିବାକୁ ଦିଆଯିବ ନାହିଁ। କେବଳ ଦୁଇଚକିଆ ତଥା ହାଲୁକା ଯାନ ରାଜମହଲ ଛକରୁ ମାଷ୍ଟରକ୍ୟାଣ୍ଟିନ୍ ଆଡ଼କୁ ଆସିପାରିବ କିନ୍ତୁ ପିଏମ୍ଜି ଛକ ଆଡ଼କୁ ଯିବାପାଇଁ ଅନୁମତି ଦିଆଯିବ ନାହିଁ। ହାଉସିଂବୋର୍ଡ ଛକ ପାର୍ଶ୍ୱରୁ ରବୀନ୍ଦ୍ରମଣ୍ଡପ ଆଡକୁ ଆସୁଥିବା ଯାନବାହାନଗୁଡ଼ିକ କେଶରୀ ଟକିଜ୍ଠାରୁ ଆଗକୁ ନ ଯାଇ ସେହିଠାରୁ ବାମପାର୍ଶ୍ୱ ଲେନ୍ରେ ଯିବ।
ସେହିପରି ଏଜି ଛକରୁ ପିଏମ୍ଜି ଛକ ଆଡ଼କୁ ଆସୁଥିବା ଯାନବାହନଗୁଡ଼ିକ ଜୟଦେବ ଭବନ ଗଳି ରାସ୍ତା ଦେଇ ଇଡକଲ୍ ଅଡିଟୋରିୟମ୍ ପଟୁ ଯିବେ। ୧୨୦ ବାଟାଲିୟନ୍ ଛକରୁ ରବୀନ୍ଦ୍ରମଣ୍ଡପ ଆଡ଼କୁ ଆସୁଥିବା ସମସ୍ତ ଯାନବାହନ ଏମ୍.ଏଲ୍ଏ କଲୋନୀ ରାସ୍ତା ଦେଇ ୪ ନମ୍ବର ପାର୍ଶ୍ୱକୁ ଯିବେ। ପରେଡ ସମୟରେ ରେଲୱେ ଷ୍ଟେସନ ପାଖ ବିଡିଏ ବସ୍ ଷ୍ଟାଣ୍ଡ, କଂଗ୍ରେସ ଭବନ ସାମ୍ନାରେ ଥିବା ଖାଲି ସ୍ଥାନ, ଇଡକଲ ଅଡିଟୋରିୟମ ସାମ୍ନାରେ ଥିବା ଖାଲି ସ୍ଥାନ, ଜୟଦେବ ଭବନ ସାମ୍ନାରେ ଥିବା ଖାଲି ସ୍ଥାନ, ଏସବିଆଇ ୟୁନିଟ-୩ ସାମ୍ନାରେ ଥିବା ଖାଲି ସ୍ଥାନ, ରବୀନ୍ଦ୍ର ମଣ୍ଡପ ସାମ୍ନାରେ ଥିବା ଖାଲି ସ୍ଥାନ, ୟୁନିଟ-୨ ବାଳିକା ଉଚ୍ଚ ବିଦ୍ୟାଳୟ ପଡିଆରେ ଗାଡି ପାର୍କିଂ କରିପାରିବେ।