ସାପ କାମୁଡ଼ାରେ ନାତୁଣୀର ମୃତ୍ୟୁ ଖବର ଶୁଣି ଜେଜେଙ୍କ ପ୍ରାଣ ଚାଲିଗଲା

ସମ୍ଭାଳି ପାରିଲେନି ନାତୁଣୀର ମୃତ୍ୟୁ ଖବର। ଦୁଃଖରେ ମ୍ରିୟମାଣ ହୋଇ ଛାଡ଼ିଗଲା ଜେଜେ ଜୀବନ। ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଗୋବଣ୍ଡିଆ ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି। ସାପ କାମୁଡ଼ାରେ ନାତୁଣୀର ମୃତ୍ୟୁ ଖବର ଶୁଣି ଜେଜେଙ୍କ ପ୍ରାଣ ଚାଲିଗଲା ।

ଗୋବଣ୍ଡିଆ ଗାଁର ଦେବେନ୍ଦ୍ର ପରମାଣିକଙ୍କ ଝିଅ ଅଙ୍କିତା ପ୍ରିୟଦର୍ଶିନୀ । ଗୁରୁବାର ରାତିରେ ଶୋଇଥିବା ବେଳେ ତାଙ୍କୁ ବିଷଧର ସାପ କାମୁଡ଼ିଥିଲା । ବିଳମ୍ବିତ ରାତିରେ ସାପ କାମୁଡ଼ିଥିଲା ବୋଲି କେହି ଜାଣି ପାରି ନଥିଲେ । ଶୁକ୍ରବାର ଭୋର ସମୟରେ ଅଙ୍କିତା ପାଟିରୁ ଫେଣ ବାହାରିବା ପରେ ଘର ଲୋକେ ତାକୁ ପ୍ରଥମେ ମାହାଙ୍ଗା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ଓ ପରେ କଟକ ବଡ଼ ମେଡିକାଲ୍ ନେଇଥିଲେ । ହେଲେ ସେତେବେଳକୁ ବହୁତ ଡେରି ହୋଇ ସାରିଥିଲା । ମେଡିକାଲ୍ରେ ୧୫ ବର୍ଷୀୟା ଅଙ୍କିତାକୁ ମୃତ ଘୋଷଣା କରିଥିଲେ ଡାକ୍ତର।ନାତୁଣୀର ମୃତ୍ୟୁ ଖବର ଶୁଣିବା ପରେ ଜେଜେ ବାବାଜୀ ପରମାଣିକ (୭୨ ବର୍ଷ)ଙ୍କ ହୃଦଘାତରେ ଟଳି ପଡ଼ିଥିଲେ। ତାଙ୍କୁ ଗ୍ରାମବାସୀମାନେ ବଡ଼ଚଣା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଅଧିକ ପଢନ୍ତୁ

Odisha Darpan Digital