ମହାପ୍ରଭୁ ଜଗନ୍ନାଥଙ୍କର ଛପନ ଭୋଗ ମଧ୍ୟରୁ ଖଜାର ଏକ ସ୍ବତନ୍ତ୍ରତା ରହିଛି । ପୁରୀରେ ଭିନ୍ନଭିନ୍ନ ରକମର ଖଜା ମିଳେ । ଶ୍ରୀକ୍ଷେତ୍ରର ପ୍ରାୟ ସବୁ ସାହିରେ ଖଜା ମିଳେ । ହେଲେ ଦୁଃଖର ବିଷୟଯେ, ଏହି ଖଜା ବିକ୍ରି କରୁଥିବା ବ୍ୟବସାୟୀ ମାନେ ଅନେକ ସ୍ଥାନରେ ଲୋକଙ୍କୁ ଠକି ଅପମିଶ୍ରିତ ଖଜା ବିକ୍ରି କରୁଛନ୍ତି । ଏପରିକି ବାହାରେ ବିକ୍ରି ହେଉଥିବା ଖଜାକୁ ମହାପ୍ରସାଦ କହି ଲୋକଙ୍କ ଆସ୍ଥା ସହ ଖେଳ ଖେଳୁଛନ୍ତି । ଯାହାକୁ ନେଇ ଅନେକ ଥର ଅଭିଯୋଗ ହେବା ପରେ ଏବେ ପ୍ରଶାସନର ନିଦ ଭାଙ୍ଗିଛି । ପୁରୀ ଏସ୍ପି ବିନିତ ଅଗ୍ରଓ୍ବାଲଙ୍କ ସୂଚନା ଅନୁଯାୟୀ, ସିଂହଦ୍ୱାର ଥାନା ଅଞ୍ଚଳରେ ସମ୍ପୃକ୍ତ ଭକ୍ତଙ୍କୁ ଠକିଥିବା ଖଜା ବ୍ୟବସାୟୀଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଏହି ସଂକ୍ରାନ୍ତରେ ଏକ ମାମଲା ରୁଜୁ ହୋଇଛି। ସମସ୍ତଙ୍କୁ ପୋଲିସ ପକ୍ଷରୁ ଆହ୍ବାନ କରାଯାଉଛି ଯେ, ପୁରୀକୁ ଆସୁଥିବା ଭକ୍ତଙ୍କ ସହ ଠକାମି କରନ୍ତୁ ନାହିଁ।
ରାସ୍ତାପାର୍ଶ୍ୱରେ ବସୁଥିବା ଉଠାଦୋକାନୀଙ୍କ ଉପରେ ପ୍ରଶାସନର ଏନ୍ଫୋର୍ସମେଣ୍ଟ ଟିମ୍ ଚଢାଉ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ସେ କହିଛନ୍ତି। ଅନ୍ୟପଟେ, କିଛି ଖଜାଭାଟି ଅନୁମତି ନେଇ ଆଇନ ଅନୁଯାୟୀ ଭଲ ଭାବେ ଖଜା ପ୍ରସ୍ତୁତ କରୁଛନ୍ତି । ହେଲେ ଆଉ କିଛି ବ୍ୟକ୍ତି ବେଆଇନ ଭାବେ ଖଜା ଭାଟି ନିର୍ମାଣ କରି ବେଆଇନ ଭାବରେ ଖଜା ବ୍ୟବସାୟ କରୁଥିବା ନଜରକୁ ଆସିଛି । ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।