ସକାଳୁ ସକାଳୁ ଏକ ଦୁଃଖଦାୟକ ଘଟଣା ସାମ୍ନାକୁ ଆସିଛି। ଯୌତୁକ ପାଇଁ ଜଣେ ୫ ମାସର ଗର୍ଭବତୀଙ୍କୁ ହତ୍ୟା କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି। ସୂଚନାନୁଯାୟୀ, ଏହି ଘଟଣାଟି ମହାକାଳପଡ଼ା ଥାନା ବଡ଼ମଠ ଗାଁର ବୋଲି ଜଣାପଡ଼ିଛି। ତେନ୍ତୁଳିକନ୍ଦା ଗାଁର ଗୟାଧର ପ୍ରଧାନଙ୍କ ଝିଅ ନମିତା ବର୍ଷକ ତଳେ ମଡମଠ ଗାଁର ଶୁଭ୍ରାଂଶୁ ଭୁୟାଁଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ । ବାହାଘର ସମୟରେ ଝିଅକୁ ସୁନା ଅଳଙ୍କାର ସହିତ ଘରର ଆସବାବପତ୍ର ଦେଇ ବାହା କରିଥିଲେ ନମିତାଙ୍କ ବାପା । କିନ୍ତୁ ଅଧିକ ଯୌତୁକ ଦାବିକରି ଝିଅକୁ ଅନେକ ସମୟରେ ନିର୍ଯାତନା ଦେଉଥିବା ଅଭିଯୋଗ କରିଛନ୍ତି ଝିଅର ପରିବାର ଲୋକେ ।ପୂର୍ବରୁ ଶାଶୂଘରେ ଯୌତୁକ ପାଇଁ ଝିଅକୁ ମାଡ଼ ମାରୁଥିଲେ। ବର୍ତ୍ତମାନ ତାଙ୍କର ମୃତ୍ୟୁ ଘଟିଛି। ଏନେଇ ମୃତ ଗର୍ଭବତୀଙ୍କ ବାପା ଥାନାରେ ଅଭିଯୋଗ କରିଛନ୍ତି। ୩ ଦିନ ହେଲାଣି ମେଡ଼ିକାଲରେ ଶବ ପଡ଼ିରହିଛି। ଏହାର ନ୍ୟାୟ ପାଇଁ ଦାବି କରୁଛନ୍ତି ଝିଅର ବାପ ଘର ଲୋକେ। ମୃତ ନମିତାଙ୍କ ଶ୍ବଶୁରଙ୍କୁ ପୋଲିସ ଅଟକ ରଖିଥିବା ବେଳେ ଅନ୍ୟମାନେ ଫେରାର ଅଛନ୍ତି ।
