ରାଜ୍ୟର ସାମ୍ବାଦିକମାନଙ୍କ ପାଇଁ ପେନସନ୍ ବ୍ୟବସ୍ଥା ଲାଗୁ କରିବା ପ୍ରସ୍ତାବ ଓଡ଼ିଶା ସରକାରଙ୍କ ବିଚାରାଧୀନ ରହିଛି ବୋଲି ଗୁରୁବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ସୂଚନା ଦେଇଛନ୍ତି। ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ପ୍ରଶ୍ନର ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସାମ୍ବାଦିକମାନଙ୍କୁ ପେନସନ ପ୍ରଦାନ ପାଇଁ ସରକାରଙ୍କୁ ବିଭିନ୍ନ ସଂଗଠନ ପକ୍ଷରୁ ଅନୁରୋଧ ଆସିଛି। ଏହି ପ୍ରସ୍ତାବ ସରକାରଙ୍କ ନିକଟରେ ବିଚାରାଧୀନ ଅଛି। ସେହିପରି ସୂଚନା ଏବଂ ଲୋକସମ୍ପର୍କ ବିଭାଗ ଦ୍ୱାରା ଅନୁମୋଦିତ ପ୍ରିଣ୍ଟ, ଇଲେକ୍ଟ୍ରୋନିକ୍, ଡିଜିଟାଲ୍ ଏବଂ ୱେବ୍ ମିଡିଆରେ କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନା ଅଧୀନରେ ସ୍ୱାସ୍ଥ୍ୟ ବୀମା କଭରେଜ୍ ପ୍ରଦାନ କରାଯାଉଛି।ଏହି ଯୋଜନା କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ସ୍ୱାସ୍ଥ୍ୟ ବୀମା କଭରେଜ୍ ପ୍ରଦାନ କରୁଛି। ଯାହା ଫଳରେ ସେମାନଙ୍କ ପରିବାର ତାଲିକାଭୁକ୍ତ ହସ୍ପିଟାଲଗୁଡ଼ିକରେ ପାଞ୍ଚ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନଗଦହୀନ ଚିକିତ୍ସା ପାଇପାରିବେ।
