ସାର୍ଥକ ନିଖୋଜ ଘଟଣା: ଆଙ୍ଗ୍ଲୋ ଇଷ୍ଟର୍ନ ସିିପିଂ କମ୍ପାନୀ ପକ୍ଷରୁ ସ୍ପଷ୍ଟୀକରଣ

ମଝି ସମୁଦ୍ରରେ ନିଖୋଜ ହୋଇଯାଇଥିବା ୨୨ ବର୍ଷୀୟ ଡେକ କ୍ୟାଡେଟ ସାର୍ଥକ ମହାପାତ୍ରଙ୍କ ମିଳୁନି ଖୋଜଖବର । ପରିବାର ଲୋକେ ସିଙ୍ଗାପୁରରୁ ଫେରିବା ପରେ ଜାହାଜ କମ୍ପାନୀ ଉପରେ ଦୋଷ ଲଦିଥିବା ବେଳେ ଏହା ଉପରେ ଆଜି(ବୁଧବାର) ସ୍ପଷ୍ଟୀକରଣ ରଖିଛି ଜାହାଜ କମ୍ପାନୀ ।ଆଙ୍ଗ୍ଲୋ ଇଷ୍ଟର୍ନ ସିିପିଂ (Anglo-Eastern Ship Management) କମ୍ପାନୀ ସୂଚନା ଅନୁଯାୟୀ, ଏମ୍‌ଭି ଇଏଜର୍ସି ଜାହାଜଟି ଫେବ୍ରୁଆରୀ ୧୫ରେ ସିଙ୍ଗାପୁରରେ ପହଞ୍ଚିଥିଲା । ଏହାପରେ ତଦନ୍ତ ସହ ଯାଞ୍ଚ ପ୍ରକ୍ରିୟା ହୋଇଥିଲା । ଏଥିରେ ସିଙ୍ଗାପୁରର ମାରିଟାଇମ୍ ଏଣ୍ଡ୍ ପୋର୍ଟ ଅଥରିଟି (MPA), ଭାରତର ଡିଜି ସିପିଂ ଏବଂ ଭାରତୀୟ ହାଇକମିଶନର ପ୍ରତିନିଧିଦଳ ଆଦି ଯୋଗ ଦେଇଥିଲେ । ପରେ ଡେକ କ୍ୟାଡେଟ ସାର୍ଥକଙ୍କ ମାମୁ ଓ ମା’ ଜାହାଜକୁ ଯାଇଥିଲେ । ଏହି ସମୟରେ ସମସ୍ତ ନିୟମାବଳୀ, ସୁରକ୍ଷା ଏବଂ ତଦନ୍ତ ପ୍ରୋଟୋକଲ୍ ଅନୁସାରେ କରାଯାଇଥିଲା । MPA ଏବଂ ଡିଜି ସିପିଂଙ୍କ ଦ୍ୱାରା ସ୍ୱତନ୍ତ୍ର ତଦନ୍ତରେ କ୍ରୁ ସଦସ୍ୟମାନଙ୍କୁ ପଚରାଉଚରା କରାଯାଇଥିଲା ।ଏହାପରେ ଫେବ୍ରୁଆରୀ ୧୬ରେ ଜାହାଜକୁ ସିଙ୍ଗାପୁରରୁ ଯାତ୍ରା ପାଇଁ ଅନୁମତି ମିଳିଥିଲା । ତେବେ ବର୍ତ୍ତମାନ ଏହି ଜାହାଜ ସାଙ୍ଘାଇ ଅଭିମୁଖେ ଯାତ୍ରା କରୁଛି । କମ୍ପାନୀ ପକ୍ଷରୁ ଆହୁରି କୁହାଯାଇଛି ଯେ, ଆଙ୍ଗ୍ଲୋ ଇଷ୍ଟର୍ନ୍ ଏବଂ ଜାହାଜ ମାଲିକ ସମସ୍ତ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ ରଖି ତଦନ୍ତରେ ସହଯୋଗ କରୁଛି । ଏହି କଷ୍ଟକର ସମୟରେ କ୍ରୁ ସଦସ୍ୟଙ୍କୁ ସହାୟତା ଦେବା ସହ କ୍ୟାଡେଟ୍‌ଙ୍କ ପରିବାର ସହିତ ଯୋଗାଯୋଗ ଜାରି ରଖିଛୁ ।’

ଅଧିକ ପଢନ୍ତୁ