ସିକ୍କିମର ବରଫାଚ୍ଛନ କାଞ୍ଚନଜଙ୍ଘରେ ମାଉଣ୍ଟେନିକ୍ ତାଲିମ ନେଇ ଫେରିଛନ୍ତି ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ବ୍ରହ୍ମପୁର ସହରର ତିନି ଜଣ ବିଦ୍ୟାର୍ଥୀ ।ଜାତୀୟ ସମର ଶିକ୍ଷାର୍ଥୀ ବାହିନୀରେ ଅଂଶଗ୍ରହଣ କରୁଥିବା ବିଦ୍ୟାର୍ଥୀଙ୍କ ମାନଙ୍କୁ ନେଇ କିଛି ବର୍ଷ ବ୍ୟବଧାନରେ ଆଡଭେନଚର କାର୍ଯ୍ୟକ୍ରମ ହୋଇଥାଏ । ଚୟନ ହେଉଥିବା କ୍ୟାଡେଟ୍ ମାନଙ୍କୁ ନେଇ ପର୍ବତାରୋହଣ, ବରଫ ରାସ୍ତା ଅତିକ୍ରମ କିପରି କରିବେ ତାହାକୁ ନେଇ ଏକ ବେସିକ୍ ମାଉଣ୍ଟେନିକ୍ ତାଲିମ କୋର୍ସ କରାଯାଇଥାଏ । ଚଳିତବର୍ଷ ଏହି କୋର୍ସ ପ୍ରାୟ ୨୮ ଦିନ ଧରି ଆୟୋଜିତ ହେଉଥିବା ବେଳେ ଏହି ତାଲିମ ଶିବିର ଦକ୍ଷିଣ ସିକ୍କିମ ଠାରେ ଆୟୋଜିତ ହୋଇଥିଲା । ଯାହାକି ଏହି କ୍ୟାମ୍ପ ନିମନ୍ତେ ସର୍ବଭାରତୀୟ ସ୍ତରରେ ୪୫ ଜଣ ସମର ଶିକ୍ଷାର୍ଥୀଙ୍କୁ ଚୟନ କରାଯାଇଥିବା ବେଳେ ଓଡ଼ିଶାରୁ ପ୍ରତିନିଧିତ୍ଵ କରିଥିଲେ ୫ ଜଣ କ୍ୟାଡେଟ୍ । ସେଥିରେ ବ୍ରହ୍ମପୁର ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟ ସ୍ନାତକୋତ୍ତର ଓଡ଼ିଆ ବିଭାଗରେ ଅଧ୍ୟୟନରତ ଶେଷ ବର୍ଷର ଛାତ୍ର ତଥା NCCର ସିନିଅର ଅଣ୍ଡର ଅଫିସର ଅଜୟ କୁମାର ବେହେରା, ମହିଳା ପଲିଟେକନିକ୍ କଲେଜର ଛାତ୍ରୀ ରାଜେଶ୍ୱରୀ ସାହୁ ଏବଂ ଉମାଚରଣ ପଟ୍ଟନାୟକ ଇଂଞ୍ଜିନିୟରିଂ ଛାତ୍ର ଅଂଶୁମାନ ସାହୁ ଏହି କ୍ୟାମ୍ପରେ ଯୋଗଦାନ କରି ତାଲିମ ନେବା ପରେ ବ୍ରହ୍ମପୁରକୁ ଫେରିଛନ୍ତି ।ଓଡ଼ିଶା ଦଳରେ ସାମିଲ ଅଜୟ ପ୍ରଥମେ ଦକ୍ଷିଣ ସିକ୍କିମରେ ତାଲିମ ନେଇଥିଲେ। ପରେ ଉତ୍ତର ସିକ୍କିମର ବରଫାବୃତ କାଞ୍ଚନଜଙ୍ଗା ଅଞ୍ଚଳକୁ ପ୍ରଶିକ୍ଷଣ ପାଇଁ ଯାଇଥିଲେ। ତା ପରେ ପର୍ବତାରୋହଣ କରି ସଫଳତା ପାଇଛନ୍ତି।ଦକ୍ଷିଣ ଓ ଉତ୍ତର ସିକ୍କିମରେ ପ୍ରଚଣ୍ଡ ଥଣ୍ଡାରେ ପ୍ରଶିକ୍ଷଣ ସହ ୧୬,୭୬୦ ଫୁଟ ଉଚ୍ଚତା ବିଶିଷ୍ଟ ପର୍ବତାରୋହଣ କରି ସେ ରେକର୍ଡ କରିଛନ୍ତି।ଅଜୟ କୁମାର ବେହେରା କହିଛନ୍ତି,” ସାରା ଦେଶରୁ ପ୍ରାୟ ୪୫ ଜଣ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର କ୍ୟାଡେଟ୍ ଯୋଗଦାନ କରିଥିବା ବେଳେ ସେମାନଙ୍କ ମଧ୍ୟରେ କେଉଁମାନେ ପର୍ବତାରୋହଣ କରିପାରିବେ ତାହାକୁ ନେଇ ଏକ ଚୟନ କରାଯାଇ ପରୀକ୍ଷା କରାଯାଇଥିଲା । ଏଣୁ ଯେଉଁମାନେ ପର୍ବତାରୋହଣ କରିଥିଲେ ସେମାନଙ୍କୁ ହିଁ ବରଫରେ ଚଢିବା ପାଇଁ ତାଲିମ ପାଇଁ ସୁଯୋଗ ମିଳିଥିଲା । ଏପରିକି ଏହି ଶିବିରରେ ଯୋଗଦାନ କରିଥିବା କ୍ୟାଡେଟ୍ ବାଳକ ମାନେ ଦୈନିକ ୧୮ କିଲୋ ଭାର ଏବଂ ବାଳିକା ମାନେ ୧୫ କିଲୋଗ୍ରାମ ଭାର ଉଠାଇ ଟ୍ରେକିଂରେ ଭାଗ ନେଉଥିଲେ । ଯାହାକି ଆମେ ୧୬୭୬୦ ଫୁଟ ଉଚ୍ଚତା ବିଶିଷ୍ଟ ପାହାଡକୁ ଅତିକ୍ରମ କରିବାରେ ସକ୍ଷମ ହୋଇଥିଲୁ । ଏହାପରେ ପ୍ରାୟ ଛଅ ଦିନ ଧରି ଗ୍ଲାସିଅରରେ ତାଲିମ ନେଇଥିଲେ କିପରି ତାହାକୁ ଅତିକ୍ରମ କରିବୁ । ଗୋଟିଏ ପଟେ ପର୍ବତାରୋହଣ ସମୟରେ ଅମ୍ଲଜାନର ଅଭାବ ନିଶ୍ୱାସ ନେବାରେ ସମସ୍ୟା ଉପୁଜୁଥିବା ବେଳେ ପଛରେ ୧୮ କିଲୋ ବେକପେକ୍ ଧରି ଅତିକ୍ରମ କରିବା ସତେଯେପରି ଚ୍ୟାଲେଞ୍ଜ ରହିଥିଲା ।ସାରା ଦେଶରୁ ୪୫ ଜଣ କ୍ୟାଡେଟ୍ ଯୋଗ ଦାନ କରିଥିଲେ ମଧ୍ୟ ବରଫାରେ ରାସ୍ତା ଅତିକ୍ରମ କରିବା କାର୍ଯ୍ୟ ମାତ୍ର ୩୦ ଜଣ କ୍ୟାଡେଟ୍ କରିଥିଲେ ।”
