ସିପାହି/କନଷ୍ଟେବଳ ପଦରେ ନିଯୁକ୍ତି ପାଇଁ ପ୍ରାର୍ଥୀଙ୍କ ସର୍ବାଧିକ ବୟସସୀମା ୬ ବର୍ଷ କୋହଳ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ

ସିପାହି କନେଷ୍ଟବଳ ପଦରେ ନିଯୁକ୍ତି ପାଇଁ ପ୍ରାର୍ଥୀଙ୍କ ସର୍ବାଧିକ ବୟସସୀମା ୬ ବର୍ଷ କୋହଳ କରିବାକୁ ହାଇକୋର୍ଟ ଓଡିଶା ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟର ବିଭିନ୍ନ ବାଟାଲିୟନରେ ୧୩୬୦ଟି କନେଷ୍ଟବଳ ସିପାହୀ ପଦ ପୂରଣ ପାଇଁ ୨୦୨୪ ସେପ୍ଟେମ୍ବର ୨୨ରେ ପ୍ରକାଶିତ ବିଜ୍ଞପ୍ତି ଆଧାରରେ ଜାରି ରହିଥିବା ନିଯୁକ୍ତି ପ୍ରକ୍ରିୟାରେ ପ୍ରାର୍ଥୀଙ୍କ ସର୍ବାଧିକ ବୟସସୀମା ୬ ବର୍ଷ କୋହଳ କରାଯିବ । ଏ ସଂପର୍କରେ ଓଡ଼ିଶା ପୋଲିସ ସିଲେକ୍ସନ୍ ବୋର୍ଡ ଅଧ୍ୟକ୍ଷ ସଂଶୋଧିତ ବିଜ୍ଞପ୍ତି ପ୍ରକାଶ କରିବାକୁ ନିର୍ଦ୍ଦେଶ ରହିଛି ।ନିଯୁକ୍ତି ପ୍ରକ୍ରିୟାରେ ବିଳମ୍ବ ଓ ପ୍ରଭାବିତ ପ୍ରାର୍ଥୀଙ୍କ ପାଇଁ ସ୍ବଚ୍ଛତା ପ୍ରସଙ୍ଗ ସୁନିଶ୍ଚିତ କରିବା ଲାଗି ଏହି ନିର୍ଦ୍ଦେଶ ପ୍ରଦାନ କରାଯାଇଛି।

ଅସାଧାରଣ ପରିସ୍ଥିତିରେ ଥରକ ପାଇଁ ଏହି ବୟସ ସୀମା କୋହଳ ବ୍ୟବସ୍ଥା କରାଯାଉଛି, ଏହାକୁ ନଜିର ଭାବେ ଭବିଷ୍ୟତରେ ଗ୍ରହଣ କରାଯିବ ନାହିଁ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି। ସୃଷ୍ଟି ହେଉଥିବା ଖାଲି ପଦବିକୁ ଦୃଷ୍ଟିରେ ରଖି ନିୟମିତ ଭାବେ ନିଯୁକ୍ତି ପ୍ରକ୍ରିୟା ଜାରି ରଖିବାକୁ ବୋର୍ଡ ପଦକ୍ଷେପ ଗ୍ରହଣ କରିବ ବୋଲି ହାଇକୋର୍ଟ କହିଛନ୍ତି।୨୦୨୪ ଜାନୁଆରି୧ରେ ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ୧୮ ଓ ସର୍ବାଧିକ ୨୩ ବର୍ଷ ହୋଇଥିବ ବୋଲି ଏଥିରେ ସ୍ପଷ୍ଟ କରାଯାଇଥିଲା । ସଂରକ୍ଷିତ ବର୍ଗଙ୍କ ପାଇଁ ସର୍ବାଧିକ ବୟସ ସୀମା କୋହଳ ବ୍ୟବସ୍ଥା ରଖାଯାଇଥିଲା । ଅନ୍ୟପକ୍ଷରେ ଶେଷଥର ୨୦୧୮ରେ ଓଡ଼ିଶା ପୋଲିସରେ ସିପାହି କନେଷ୍ଟବଳ ପଦ ପୂରଣ ପାଇଁ ନିଯୁତି ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା । ତେଣୁ ୬ ବର୍ଷ ସର୍ବାଧିକ ବୟସସୀମା କୋହଳ ପାଇଁ କିଛି ଆଶାୟୀ ପ୍ରାର୍ଥୀ ଦାବି କରିଥିଲେ ।

ଅଧିକ ପଢନ୍ତୁ