ସୁଗମ ହେଲା ଲୋକଭବନ ସହ ଯୋଡ଼ି ହେବା ବ୍ୟବସ୍ଥା । ସ୍ୱତନ୍ତ୍ର ଆପ୍ (Application) ମଧ୍ୟାମରେ ଏବେ ଜନସାଧାରଣ ଲୋକଭବନ ସହ ଯୋଡି ହୋଇପାରିବେ । ଭାରତର ପ୍ରଥମ ରାଜ୍ୟ ଭାବରେ ଓଡ଼ିଶାର ଲୋକଭବନରେ ସମ୍ପୂର୍ଣ୍ଣ ସ୍ୱୟଂଚାଳିତ ସାକ୍ଷାତ ବ୍ୟବସ୍ଥା, “ଇ-ଲୋକଭବନ ଓଡ଼ିଶା ଆପ୍” (e-Lok Bhavan Odisha App)ର ଶୁଭାରମ୍ଭ କରିଛନ୍ତି ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି ।ଗତକାଲି (ଶୁକ୍ରବାର) ଲୋକଭବନ ପାଇଁ ସ୍ୱୟଂଚାଳିତ ସାକ୍ଷାତ ବ୍ୟବସ୍ଥା (Automated Appointment System) ” ଇ-ଲୋକଭବନ ଓଡ଼ିଶା ଆପ୍”କୁ ରାଜ୍ୟପାଳ ଶୁଭାରମ୍ଭ କରିଛନ୍ତି । ଏହି ଆପ୍ ରାଜ୍ୟପାଳଙ୍କ ସଚିବାଳୟ ସହିତ ନାଗରିକଙ୍କ ସମ୍ପର୍କକୁ ସୁଗମ କରିବା ପାଇଁ ଡିଜାଇନ୍ କରାଯାଇଥିବା ଏକ ସୁରକ୍ଷିତ ୱେବ୍-ଆଧାରିତ ପ୍ଲାଟଫର୍ମ ।ସାଧାରଣ ନାଗରିକମାନେ ସେମାନଙ୍କର ମୋବାଇଲ୍ ନମ୍ବର ବ୍ୟବହାର କରି ସାକ୍ଷତ ପାଇଁ ପଞ୍ଜିକରଣ କରିପାରିବେ । ଅନୁମୋଦନ ଅନୁଯାୟୀ ସାକ୍ଷାତ ପାଇପାରିବେ ଏବଂ ସ୍ଥିତି ଜାଣିପାରିବେ । ଅନୁରୋଧ ଅନୁମୋଦିତ ହେବା ପରେ ଅନୁରୋଧ କରିଥିବା ବ୍ୟକ୍ତି WhatsApp ଓ SMS ଜରିଆରେ ନିଶ୍ଚିତକରଣ (confirmation ) ଜାଣିପାରିବେ ଏବଂ QR-ଆଧାରିତ ଇ-ଗେଟ୍ ପାସ୍ ଏବଂ ନିର୍ଦ୍ଧାରିତ ସମୟରେ ପହଞ୍ଚିବା ପାଇଁ ସ୍ମରଣ ପତ୍ର (ରିମାଇଣ୍ଡର) ପାଇପାରିବେ । ସାକ୍ଷାତ ପରେ ଡିଜିଟାଲ୍ ଡକ୍ୟୁମେଣ୍ଟେସନ୍ ସୁନିଶ୍ଚିତ କରି ଅନୁମୋଦିତ ଫଟୋଗ୍ରାଫ୍ ହ୍ୱାଟ୍ସଆପ୍ ମାଧ୍ୟମରେ ପରିଦର୍ଶକମାନଙ୍କୁ ସୁରକ୍ଷିତ ଭାବରେ ପ୍ରଦାନ କରାଯିବ ।
