ସୁପ୍ରିମକୋର୍ଟଙ୍କ ବଡ଼ ରାୟ । ପୋଷ୍ୟ ସନ୍ତାନ ଗ୍ରହଣ କରୁଥିବା ମା’ଙ୍କ ପାଇଁ ବଡ଼ ଆଶ୍ୱସ୍ତି । ସବୁ ପୋଷ୍ୟ ସନ୍ତାନ ଗ୍ରହଣକାରୀ ମା’ଙ୍କୁ ମିଳିବ ମାତୃତ୍ୱକାଳୀନ ଛୁଟି । ସୁପ୍ରିମକୋର୍ଟ କହିଛନ୍ତି ଯେ ତିନି ମାସରୁ ଅଧିକ ବୟସର ଶିଶୁ ଗ୍ରହଣ କରୁଥିବା ଜଣେ ମହିଳାଙ୍କୁ ମ୍ୟାଟରନିଟି ଲିଭ୍ ମନା କରାଯାଇପାରିବ ନାହିଁ। ଏହା ବ୍ୟତୀତ, ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ପିତୃତ୍ୱ ଛୁଟି ପାଇଁ ଏକ ନୀତି ପ୍ରସ୍ତୁତ କରିବା ବିଷୟରେ ବିଚାର କରିବାକୁ ଅନୁରୋଧ କରିଛନ୍ତି । ସୁପ୍ରିମକୋର୍ଟ ଗୁରୁତ୍ୱାରୋପ କରିଛନ୍ତି ଯେ ମାତୃତ୍ୱ ସୁରକ୍ଷା ଏକ ମୌଳିକ ମାନବିକ ଅଧିକାର ।ସାମାଜିକ ସୁରକ୍ଷା ସଂହିତା Social Security Code, 2020ର ଧାରା ୬୦(୪) ଅନୁଯାୟୀ, କେବଳ ସେହି ମା’ମାନଙ୍କୁ ୧୨ ସପ୍ତାହର ମାତୃତ୍ୱ କାଳୀନ ଛୁଟି ମିଳୁଥିଲା, ଯେଉଁମାନେ ୩ ମାସରୁ କମ୍ ବୟସର ଶିଶୁକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରୁଥିଲେ । ୩ ମାସରୁ ଅଧିକ ବୟସର ଶିଶୁକୁ ଗ୍ରହଣ କଲେ କୌଣସି ସୁବିଧା ମିଳୁନଥିଲା । ସୁପ୍ରିମକୋର୍ଟଙ୍କ ଜଷ୍ଟିସ୍ ଜେ.ବି. ପାର୍ଦିୱାଲା ଓ ଜଷ୍ଟିସ୍ ଆର୍. ମହାଦେବନଙ୍କୁ ନେଇ ଗଠିତ ବେଞ୍ଚ ଏହି ବୟସ ସୀମାକୁ ଅସାମ୍ବିଧାନିକ ଏବଂ ପାତରଅନ୍ତର ବୋଲି କହିଛନ୍ତି ।
କୋର୍ଟ କହିଛନ୍ତି, ଶିଶୁର ବୟସ ଯାହା ହେଉନା କାହିଁକି, ଜଣେ ନୂଆ ମା’ ଭାବେ ତାଙ୍କର ଯତ୍ନ ନେବା ଏବଂ ସମ୍ପର୍କ ଗଢ଼ିବା ପାଇଁ ସମୟ ଆବଶ୍ୟକ । ବୟସ ଆଧାରରେ ମା’ମାନଙ୍କ ମଧ୍ୟରେ ଭେଦଭାବ କରିବା ସମାନତା ଅଧିକାରର ଉଲ୍ଲଂଘନ । ଏହି ରାୟ ପରେ, ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରାଯାଇଥିବା ଶିଶୁର ବୟସ ଯାହା ବି ହୋଇଥାଉ ମା’ଙ୍କୁ ପିଲାଟି ମିଳିବା ଦିନଠାରୁ ୧୨ ସପ୍ତାହର ସମ୍ପୂର୍ଣ୍ଣ ଛୁଟି ମିଳିବ । ଏହି ନିୟମ ସରୋଗେସୀ ମାଧ୍ୟମରେ ମା’ ହୋଇଥିବା ମହିଳାଙ୍କ ପାଇଁ ମଧ୍ୟ ଲାଗୁ ହେବ ।
