ସୁବନ ମାଉସୀ ହେଲେ ଥଇଥାନ

ନୟାଗଡ଼, ( ଓଡ଼ିଶା ଦର୍ପଣ ):ନୟାଗଡ଼ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ସଚିବ, ଅଞ୍ଜଳି ମଛଖଣ୍ଡଙ୍କ ନିର୍ଦ୍ଦେଶରେ ଗ୍ରାମୀଣ ଆଇନ୍ ସଚେତନତା କର୍ମୀ ପ୍ରଫୁଲ୍ଲ କୁମାର ବେହେରା, ମମତା ବେହେରା, ଶୁଭସ୍ମିତା ମିଶ୍ରଙ୍କ ତତ୍ବାବଧାନରେ ପ୍ରତାପପ୍ରସାଦ ନିବାସୀ ସୁବନ ଦେଇଙ୍କୁ ନୟାଗଡ଼ ଲେଖନପୁରସ୍ଥିତ ସମର୍ପଣ ବୃଦ୍ଧାଶ୍ରମରେ ଥଇଥାନ କରାଯାଇଛି। ସୁବନ ମାଉସୀଙ୍କ
ସ୍ଵାମୀଙ୍କ ଦେହାନ୍ତ ପରେ ତାଙ୍କ ପରିବାରର ୨ଗୋଟି ପୁଅବୋହୂ ଦାୟିତ୍ଵ ଲିଭାଇବା ବଦଳରେ ଅକଥନୀୟ ଅତ୍ୟାଚାର ଆରମ୍ଭ କରିଦେଇଥିଲେ। ଏଥିରେ ସେ ଅତିଷ୍ଟ ହୋଇ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣରଙ୍କର ଦ୍ଵାରସ୍ଥ ହୋଇଥିଲେ। ଏହାପରେ ସଚିବ ଅଞ୍ଜଳି ମଛଖଣ୍ଡଙ୍କ ନିର୍ଦ୍ଦେଶରେ ଥଇଥାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଗ୍ରାମୀଣ ଆଇନ୍ ସଚେତନତା କର୍ମୀ ପ୍ରଫୁଲ୍ଲ କୁମାର ବେହେରା, ମମତା ବେହେରା, ଶୁଭସ୍ମିତା ମିଶ୍ର ୩ଜଣଙ୍କୁ ସୁବନ ମାଉସୀ କିପରି ନ୍ୟାୟ ପାଇବେ ଏବଂ ତାଙ୍କର ଥଇଥାନ ହେବ ସେ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ବୁଝାଇଥିଲେ। ଏହାପରେ କର୍ମୀମାନେ ଯାଇ ସମର୍ପଣର ରକ୍ଷଣାବେକ୍ଷଣ ଦାୟିତ୍ଵରେ ଥିବା କର୍ମୀ ସୀତାରାମଙ୍କୁ ଭେଟି ପଞ୍ଜକୃତ କରି ଥଇଥାନ କରିଥିଲେ। ସୁବନ ମାଉସୀଙ୍କ ଓଠରେ ହସ ଦେଇଥିବା ଜିଲ୍ଲା ଆଇନ୍‌ସେବା ପ୍ରାଧିକରଣର ଏଭଳି କାର୍ଯ୍ୟକୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି।

ଅଧିକ ପଢନ୍ତୁ

kc ads