ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ପୁଣି ଉଠିଛି ପ୍ରଶ୍ନ। ସବୁ ସୁରକ୍ଷାକୁ ଭେଦ କରି ଶ୍ରୀମନ୍ଦିର ଭିତରକୁ ଜଣେ ଅଣହିନ୍ଦୁ ପ୍ରବେଶ କରିଥିବା ଦେଖିବାକୁ ମିଳିଛି। ଦକ୍ଷିଣଦ୍ୱାର ପଟେ ଅଣହିନ୍ଦୁ ଜଣକ ଶ୍ରୀମନ୍ଦିର ଭିତରୁ ବାହାରୁଥିବାର ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ ସେ କେଉଁଠାରୁ ଆସିଥିଲେ ଏବଂ ତାଙ୍କ ପରିଚୟ କଣ ତାହା ସ୍ପଷ୍ଟ ଜଣାପଡିନାହିଁ। ତାଙ୍କୁ ବି ଅଟକାଇ ଯାଞ୍ଚ କରାଯାଇନାହିଁ। ଯାହାକୁ ନେଇ ସେବାୟତ ଓ ଶ୍ରଦ୍ଧାଳୁଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଅନ୍ୟପକ୍ଷରେ ଏସମ୍ପର୍କରେ ଶ୍ରୀମନ୍ଦିର ପ୍ରଶାସନ ନିକଟରେ କୌଣସି ଖବର ନଥିବା କହିଛନ୍ତି ଲୋକସମ୍ପର୍କ ଅଧିକାରୀ।ତେବେ ଅଣହିନ୍ଦୁଙ୍କ ଜଣକ ବିଦେଶୀ ବୋଲି ଶ୍ରୀମନ୍ଦିର ପ୍ରଶାସନ କୁ ଜଣାଇଥିଲେ ସେବାୟତ।
ପରବର୍ତ୍ତୀ ସମୟରେ ସମ୍ପୃକ୍ତ ବିଦେଶୀ ଭକ୍ତଙ୍କୁ ପଚରାଉଚରା ବଦଳରେ ଛାଡି ଦେଇଥିବା ଦେଖିବାକୁ ମିଳିଛି। ଶ୍ରୀମନ୍ଦିର ଏକ ସମ୍ବେଦନଶୀଳ ସ୍ଥାନ। ଏହା ଉପରେ ଆତଙ୍କବାଦୀଙ୍କ ଟାଗେର୍ଟ ରହିଥିବା ନେଇ କେନ୍ଦ୍ର ଓ ରାଜ୍ୟ ଗୁଇନ୍ଦା ବିଭାଗ ସର୍ବଦା ଜିଲ୍ଲା ପୋଲିସକୁ ସତର୍କ ରହିବାକୁ ପରାମର୍ଶ ଦେଇଥାନ୍ତି। ଏପରିକି ହିନ୍ଦୁ ମନ୍ଦିରରେ ଅଣହିନ୍ଦୁମାନଙ୍କ ପ୍ରବେଶ ଉପରେ କଟକଣା ରହିଛି। ଏହା ସତ୍ତ୍ୱେ କିଭଳି ବିଦେଶୀ ପର୍ଯ୍ୟଟକ ଶ୍ରୀମନ୍ଦିରକୁ ପ୍ରବେଶ କରି ଉତ୍ତରଦ୍ୱାର ଦେଇ ବାହାରିବା ସମସ୍ତଙ୍କୁ ଚକିତ କରିଛି।